ମହାନଦୀ ବିବାଦ: ଜନ୍ତରମନ୍ତରରେ ସମାଜ ଆନ୍ଦୋଳନର ଧାରଣା

ନୂଆଦିଲ୍ଲୀ: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣକୁ ଓଡ଼ିଶାର ସମାଜ ଆନ୍ଦୋଳନ ବିରୋଧ କରିଛି। ଆଜି ସମାଜ ଆନ୍ଦୋଳନ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣା ଦିଆଯାଇଛି। ମହାନଦୀକୁ ନେଇ ରାଜନୀତି କରା ନ ଯାଉ ବୋଲି ସେମାନେ ଦାବି କରିଛନ୍ତି।

କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ବ୍ୟାରେଜ ନିର୍ମାଣ ବନ୍ଦ କରନ୍ତୁ। ଛତିଶଗଡ଼ ସରକାର ଡ୍ୟାମ୍‌ ଓ ବ୍ୟାରେଜ ନିର୍ମାଣ କରି ମହାନଦୀର ପାଣି ଅଟକାଇବାକୁ ସମାଜ ପକ୍ଷରୁ ବିରୋଧ କରାଯାଉଛି।

ସମାଜ ଆନ୍ଦୋଳନର ଆବାହକ ପ୍ରତିଭା ଦାସ କହିଛନ୍ତି, “ମହାନଦୀ ଜଳ ବିବାଦକୁ ନେଇ ଆମେ ଆଜି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହିତ ଆଲୋଚନା କରିଛୁ। ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ହେଲେ ସେମିତି କିଛି ସମସ୍ୟା ହେବନି ବୋଲି ସେ ଆମକୁ ଆଶ୍ୱାସନା ଦେଇଛନ୍ତି। ତଥାପି ଆମେ ଜନ୍ତରମନ୍ତରେ ଧାରଣା ଦେଇଛୁ। ଆମେ ଭାରତ ଓ ଓଡ଼ିଶା ସରକାରଙ୍କୁ ସଚେତନ କରିବାକୁ ଚାହୁଁଛୁ ଯଦି ଆଗାମୀ ଦିନରେ ଏପରି ସମସ୍ୟା ଆସେ ଆମେ ଆନ୍ଦୋଳନକୁ ତୀବ୍ରତର କରିବୁ। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଯେତେ ଗୁଡ଼ିଏ ବ୍ୟାରେଜ ନିର୍ମାଣ କରିଛନ୍ତି ତାହା ଆଗାମୀ ଦିନରେ ଓଡ଼ିଶା ପାଇଁ ନିଶ୍ଚିତ ସମସ୍ୟା ସୃଷ୍ଟି କରିବ।’’