ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ୩ ନିଲମ୍ବିତ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ଼ ଷ୍ଟେସନମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ସିଙ୍ଗାପୁର ରୋଡ଼ର ଜଣେ କ୍ୟାବିନମ୍ୟାନଙ୍କୁ ନିଲମ୍ବିତ କରାଯାଇଥିବା ରେଲୱେ ସୂତ୍ରରୁ ସୂଚନା ମିଳିଛି।

ଏହି ଭୟାବହ ଅଗ୍ନିକାଣ୍ଡ ପରେ କୋରାପୁଟ-ରାୟଗଡ଼ା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇପାରିନି। ଏବେ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମିତି କାମ ଚାଲିଛି।

ଗତକାଲି ଅପରାହ୍ଣ ସାଢ଼େ ୪ଟା ସମୟରେ ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା। ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଓ ଦୁଇ ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।

ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଷ୍ଟେସନକୁ ନିଆଯାଇଥିଲା। ସେଠାରେ ରେଲୱେ ପକ୍ଷରୁ ସେମାନଙ୍କ ପାଇଁ ମାଗଣା ରାତ୍ରୀଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହାପରେ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ କୋରାପୁଟ ପଠାଯାଇଛି।