ସମ୍ବଲପୁର: ହରଡ଼ଯୋରରୁ ମିଳିଲା ଦୁଇ ନିଖୋଜ ବାଳକଙ୍କ ମୃତଦେହ, ଜାତୀୟ ରାଜପଥ ଅବରୋଧ

sbp2ସମ୍ବଲପୁର: ଗତ ରବିବାରଠାରୁ ସମ୍ବଲପୁରର ସୋନାପାଲ୍ଲୀରୁ ନିଖୋଜ ଥିବା ଦୁଇ ବାଳକଙ୍କ ମୃତଦେହକୁ ଆଜି ସହର ଉପକଣ୍ଠ ସିନ୍ଦୁରପଙ୍କ କୁମେସିଙ୍ଗା ହରଡ଼ଯୋର ନାଳରୁ ଉଦ୍ଧାର କରାଯାଇଛି। ମୃତ ବାଳକ ଦ୍ୱୟ ହେଲେ ଫରଦ୍ଦିନ ଖାନ୍ ଓ ଇସଲାମ ଖାନ୍। ମୃତଦେହ ଜବତ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସର ନିଷ୍କ୍ରୟତା ଯୋଗୁଁ ବାଳକ ଦ୍ୱୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଯାତାୟତ ଠପ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ବାଳକ ଦ୍ୱୟଙ୍କୁ ହତ୍ୟା କରାଯାଇଛି ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୋଲିସ୍ କହିଛି, ଅଭିଯୋଗ ପାଇବା ପରେ ସେମାନେ ବାଳକ ଦ୍ୱୟଙ୍କୁ ଖୋଜିବାକୁ ଉଦ୍ୟମ କରିଥିଲେ। ଶବବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ  ଜଣାପଡ଼ିବ।

ମୃତ ଫରଦ୍ଦିନ ଓ ଇସଲାମ ଷଷ୍ଠ ଶ୍ରେଣୀର ଛାତ୍ର ଥିଲେ। ସହରର ଏକ ମଡର୍ଣ୍ଣ ପବ୍ଲିକ୍ ସ୍କୁଲରେ ସେମାନେ ପଢୁଥିଲେ। ରବିବାର ଦିନ ସେମାନେ କେଉଁ ଆଡ଼େ ବୁଲିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ତେଣୁ ପରିବାର ଲୋକେ ଧନୁପାଲି ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ୍ ସେମାନଙ୍କ ପତ୍ତା ପାଇ ନ ଥିବା ବେଳେ ଆଜି ସକାଳେ ହରଡ଼ଯୋରରେ ଏହି ଦୁଇ ବାଳକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଦମକଳ ବାହିନୀ ସହାୟତରେ ମୃତଦେହ ଦୁଇଟି ଉଦ୍ଧାର କରାଯାଇଛି।