ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସମ୍ବଲପୁର ଜେଲ୍ ଅଧୀକ୍ଷକ ଗୁରୁତର

ସମ୍ବଲପୁର: ଜେଲ୍‌ରେ ଅଚାନକ ଚଢ଼ାଉ ସାରି ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ସମ୍ବଲପୁର ଜେଲ୍ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆହତ ବ୍ରହ୍ମାନନ୍ଦ କହିଛନ୍ତି,“ପରିସ୍ରା କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଛପଟୁ ଆକ୍ରମଣ କରିଥିଲେ। ସେମାନେ ପଇସା ମାଗିଥିଲେ। ସେମାନେ ମୋ ମୋବାଇଲ ଛଡ଼ାଇ ନେଇଛନ୍ତି।”

ସେ କହିଛନ୍ତି,“ଆକ୍ରମଣ ନେଇ ପୂର୍ବରୁ କୌଣସି ଧମକ ମିଳି ନ ଥିଲା।”

ଜେଲ୍ ଡିଆଇଜି ନିରଞ୍ଜନ ଜେନା ଘଟଣାସ୍ଥଳ ଯାଇ ତଦନ୍ତ କରିଛନ୍ତି।

ଜେଲ୍ ଏଡିଜି ଅରୁଣ ରାୟ କହିଛନ୍ତି,“ସମ୍ବଲପୁର ଜେଲ୍ ଅଧୀକ୍ଷକ ଆଜି ଅଚାନକ ଜେଲ୍‌ରେ ଚଢ଼ାଉ ସାରି ଫେରୁଥିବା ବେଳେ ଏକ ଅନ୍ଧାରିଆ ସ୍ଥାନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାରେ ଆକ୍ରମଣ କରିଛନ୍ତି।”