ସମ୍ବଲପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ

ସମ୍ବଲପୁର: ସମ୍ବଲପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଏକ ଶୋଭାଯାତ୍ରା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର (ଜିଏମ୍) ବିଶ୍ୱବିଦ୍ୟାଳୟ ଆଡକୁ ଯାଉଥିବା ବେଳେ ପୋଲିସ୍ ଅଟକାଇବା ସହ ଅନେକ ବିଜେପି କର୍ମୀଙ୍କୁ ଗିରଫ କରିଛି। ଜିଏମ୍ ବିଶ୍ୱବିଦ୍ୟାଳୟ ପରିଚାଳନା ସମସ୍ୟା ଓ କୁଳପତି ନିଯୁକ୍ତି ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି।

ବିଜେପି ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ଷଡଙ୍ଗୀ କହିଛନ୍ତି, “ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ। ସମ୍ବଲପୁର ପୋଲିସ୍ ବିନା କାରଣରେ ବିଜେପି କର୍ମୀଙ୍କୁ ଆନ୍ଦୋଳନ ଭଣ୍ଡୁର କରିବାକୁ ଚେଷ୍ଟା କରୁଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରତି ହେଉଥିବା ଅନ୍ୟାୟ, ଅବିଚାର ବିରୋଧରେ ଆମେ ଶାନ୍ତି ପୂର୍ଣ୍ଣ ଭାବେ ‍ବିକ୍ଷୋଭ କରୁଥିଲୁ।”

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବା, ଗୋଟିଏ ଓଏସ୍‌ଡି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପରିଚାଳନା କରା ନ ଯାଇ ଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯିବା, ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ପୂରଣ କରାଯିବାକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।