‘ମହାରଥୀଙ୍କୁ ମିସ୍‌ କରୁଛନ୍ତି ପିପିଲି ଲୋକ, ତାଙ୍କ ପରିବାରରୁ ଜଣଙ୍କୁ ଟିକେଟ ମିଳୁ’

ପୁରୀ(ଓଡ଼ିଶା ରିପୋର୍ଟର): “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ।” ଆଜି ଏପରି ମନ୍ତବ୍ୟ ଦେଇ ପିପିଲି ରାଜନୈତିକ ବାତାବରଣକୁ ବେଶ୍‌ ଉଷ୍ମ କରିଦେଇଛନ୍ତି  ନିମାପଡ଼ା ବିଧାୟକ ତଥା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଆଜି ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପିପିଲି ମୋ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ବୁଲାବୁଲି କରୁଛି । ପିପିଲି ଲୋକଙ୍କ ଇଚ୍ଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହୁଅନ୍ତୁ। କାରଣ ତାଙ୍କ ସମୟରେ ପିପିଲିର ବେଶ୍‌ ବିକାଶ ହୋଇଥିଲା।  ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।

ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ପିପିଲିରେ ପ୍ରମୁଖ ଦାବିଦାର ହେଉଛନ୍ତି ଗତ ନିର୍ବାଚନର ୨ୟ ସ୍ଥାନରେ ଥିବା ବିଜେପିର ଆଶ୍ରିତ ପଟ୍ଟନାୟକ । ତେବେ ଏ ବାବଦରେ ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ।

ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଗତବର୍ଷ ଅକ୍ଟୋବର ୪ରେ ହୋଇଥିଲା। ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ଉପ-ନିର୍ବାଚନ ହେବା କଥା । ପିପିଲି ଉପନିର୍ବାଚନ ପାଇଁ କୌଣସି ମୁହୂର୍ତ୍ତରେ ବିଗୁଲ ବଜାଇପାରନ୍ତି ନିର୍ବାଚନ କମିଶନ୍ । କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି କୌଣସି ଦଳର ପ୍ରାର୍ଥୀଙ୍କ ନାଁ। ସବୁ ଦଳରେ ଚାଲିଛି ଅଙ୍କକଷା। ବିଜେଡି କାହାକୁ କରିବ ମହାରଥୀଙ୍କ ଉତ୍ତରାଧିକାରୀ? ମହାରଥୀଙ୍କ ପତ୍ନୀ ପ୍ରତିଭା ନା ପୁଅ ରୁଦ୍ରପ୍ରତାପ ? ଚର୍ଚ୍ଚା ହେଉଛି ଦଳୀୟ ସୁପ୍ରିମୋ କିଛି ସରପ୍ରାଇଜ୍ କାର୍ଡ ବି ଖେଳିପାରନ୍ତି ।

୨୦୦୦ ମସିହା ପରଠାରୁ ପ୍ରଦୀପ ମହାରଥୀ ବିଜେଡି ଟିକଟରେ ଲଗାତର ଭାବେ ପିପିଲିରୁ ନିର୍ବାଚିତ ହୋଇ ଆସିଥିଲେ।  ପିପିଲି ବିଧାନସଭା କ୍ଷେତ୍ରରୁ ୭ଥର ନିର୍ବାଚିତ ହେବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇ ଆସିଥିବା ପ୍ରଦୀପ ମହାରଥୀ ନିଜ ନିର୍ବାବାନ ମଣ୍ଡଳୀରେ ଦବ୍‍ଦବା ଜାହିର କରିଆସୁଥିଲେ । ତେବେ ତାଙ୍କର ମୃତ୍ୟୁ ପରେ କିଏ ହେବ ମହାରଥୀଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହୋଇ ଆସୁଛି।

କିଛିଦିନ ତଳେ  ପ୍ରାର୍ଥୀପତ୍ରକୁ ନେଇ ଉଭୟେ ମହାରଥୀଙ୍କ ପତ୍ନୀ  ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମୁହଁ ଖୋଲିଥିଲେ। ପ୍ରତିଭା କହିଥିଲେ ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି ପ୍ରତିଭା ମହାରଥୀ କହିଛନ୍ତି। ସେହିପରି ପରେ ଏ ବାବଦରେ ମହାରଥୀଙ୍କ ପୁଅ ରୁଦ୍ର ମଧ୍ୟ ପ୍ରତିକ୍ରିୟା ରଖିଥିଲେ। କହିଥିଲେ।  ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ରାଜନୈତିକ ପରିବାରରେ ଜନ୍ମ ହୋଇଥିବାରୁ ସବୁ କାମ କରି ଚାଲିଛୁ। ତେଣୁ ମୁଁ ଜନ୍ମରୁ ରେଡି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସେ ସ୍ୱୀକାର କରିଛନ୍ତି। ଆମକୁ ଦଳରୁ ଯାହା ଆଦେଶ ଆସିବ ମୁଁ ଓ ମା ପାଳନ କରିବୁ ବୋଲି କହିଥିଲେ ରୁଦ୍ର।

ପିପିଲି ଆସନର ପ୍ରମୁଖ ଦାବିଦାର କିଏ ତାକୁ ନେଇ ଏ ଯାଏ ଛିଡ଼ିନି ଅଙ୍କକଷା । ଅପରପକ୍ଷେ ମହାରଥୀ ପରିବାର ଲାଗି ସମୀର ଦାସଙ୍କ ଲବି ପରେ କି ନିଷ୍ପତ୍ତି ନେଉଛନ୍ତି ବିଜେଡି ସୁପ୍ରିମୋ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।