ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳ କଥାର ଅର୍ଥ ତାହା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର/ନିମାପଡ଼ା(ଓଡ଼ିଶା ରିପୋର୍ଟର): ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଆଜି ଗଣମାଧ୍ୟମ ଆଗରେ ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ଶବ ଉପରେ ରାଜନୀତି କରାନଯାଉ। ଆମେ ସମସ୍ତେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଦୁଃଖିତ। ଏଥିପାଇଁ ଆମେ ଶୋକ ସଭା ମଧ୍ୟ କରିଛୁ। ଯେଉଁମାନେ ଶବକୁ ନେଇ ରାଜନୀତି କରୁଛନ୍ତି, ଲୋକଙ୍କ ପାଖରେ ଯେଉଁମାନଙ୍କର ସମ୍ପର୍କ ନାହିଁ ଏବଂ ଏତେ ବଡ କରୋନା ସମୟରେ ଯେଉଁମାନଙ୍କର ଦେଖାନଥିଲା, ସେମାନେ କଣ କହୁଛନ୍ତି, ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ନିମାପଡ଼ା, ଗୋପ ବିଜେଡି ଏକ ପରିବାର। ଏହି ପରିବାରର ସଦସ୍ୟ ଜାଣିଛନ୍ତି ତାଙ୍କ ନେତୃତ୍ୱ କ’ଣ ? ତେଣୁ ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳ ଯାହା କହୁଛନ୍ତି ତାହାର ଅର୍ଥ ସେଇଆ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ନିମାପଡ଼ାରେ ବିଜେଡ଼ି କରୁଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହି ମତ ଦେଇଛନ୍ତି।

ସେପଟେ ଏହି ମାମଲାରେ ଭାଇରାଲ ଅଡିଓକୁ ନେଇ ପୁଲିସର ଖୋଳତାଡ ଆରମ୍ଭ କରିଛି। କମିଶନରେଟ ପୁଲିସର ନୋଟିସ ପରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରା ଉଚରା କରାଯାଇଛି। କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଅକ୍ଷୟଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଥିବା ଅକ୍ଷୟ କହିଛନ୍ତି।

ସୂଚନା ଥାଉକି, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ। ସେହି ଅଡିଓ ଭାଇରାଲ ହୋଉଛି। ଅଡ଼ିଓରୁ ଜାଣିବାକୁ ମିଳିଛି ଯେ, ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାଶଙ୍କ ସହ ୭ ଜଣଙ୍କୁ ଦାୟୀ କରିଥିଲେ। ଭାଇରାଲ ଅଡିଓକୁ ନେଇ ପୁଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।