ସରକାରୀ ଚାକିରିରେ ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର; ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଚାକିରିରେ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିମାସ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ନିଯୁକ୍ତି ପ୍ରକ୍ରିୟା ଅଗ୍ରଗତି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଏହାବାଦ ବିଭିନ୍ନ ବିଭାଗରେ ଥଇଥାନ ବ୍ୟବସ୍ଥାରେ ନିଯୁକ୍ତି ପାଇବାକୁ ଥିବା ୧୦୬୯ ଆବେଦନକାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଥଇଥାନ ବ୍ୟବସ୍ଥାରେ ଗତ ଦୁଇମାସ ମଧ୍ୟରେ ପ୍ରାୟ ୪ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।

ବ୍ଲକ ସ୍ତରରେ ଥିବା ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ୬ମାସ ମଧ୍ୟରେ ଏ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଆଇନଜୀବୀ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଓ ବିଭିନ୍ନ ନିଯୁକ୍ତି ଆୟୋଗର ପଦାଧିକାରୀମାନେ ଯୋଗଦେଇଥିଲେ।