କଥା ଦେଇ କଥା ରଖିଲେ ସରପଞ୍ଚ, ସରକାରଙ୍କ ବିନା ସହାୟତାରେ ଆରମ୍ଭ କଲେ ଆମ୍ବୁଲାନ୍ସ ସେବା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କୋଳଥି ଗାଁର ସରପଞ୍ଚ ଜଗମୋହନ ପାତ୍ର। ନିଜର ପ୍ରତିଶ୍ରୁତ ପୂରଣ ପାଇଁ ତାଙ୍କୁ ସରକାରୀ ପାଣ୍ଠିର ଆବଶ୍ୟକ ପଡ଼ିନି। ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଦରମା, ଗାଁର ଯୁବକ ମାନଙ୍କ ଦ୍ୱାରା ଗଠିତ ହରିଓମ ଗ୍ରୁପ ଓ କିଛି ସମାଜସେବୀଙ୍କ ମିଳିତ ସହାୟତାରେ ସରପଞ୍ଚ ଜଣଙ୍କ ଗାଁରେ ଆରମ୍ଭ କରିଛନ୍ତି ଆମ୍ବୁଲାନ୍ସ ସେବା।

ଗାଁରେ ଲୋକଙ୍କୁ ଠିକ୍‌ ଭାବେ ଆମ୍ବୁଲାନ୍ସ ସେବା ମିଳୁ ନଥିବାରୁ ନିର୍ବାଚନ ବେଳେ ସେ ଏହି ସମସ୍ୟାକୁ ଦୂର କରିବେ ବୋଲି କଥା ଦେଇଥିଲେ। ଏବେ ସେ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଗାଁ ଲୋକଙ୍କୁ ସରକାରୀ ଆମ୍ବୁଲାନ୍ସ ଭଳି ଏହି ନୂଆ ସେବା ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏଥିସହ ପ୍ରତିକୂଳ ପରିସ୍ଥିତିରେ ଆଖପାଖ ଅଞ୍ଚଳର ଲୋକଙ୍କୁ ଏହି ଆମ୍ବୁଲାନ୍ସ ମଧ୍ୟ ସେବା ଯୋଗାଇ ଦେବ।

ଜଗମୋହନ ପାତ୍ରଙ୍କ ଏପରି ଅଭିନବ ପଦକ୍ଷେପକୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। ସେ ଗାଁର ଆମ୍ବୁଲାନ୍ସ ସମସ୍ୟାକୁ ଦୂର କରିବା ପାଇଁ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ସେ କେବଳ ଗାଁର ଯୁବ ଗୋଷ୍ଠୀଙ୍କ ଦ୍ୱାରା ଗଠିତ ସଂଗଠନ ହରିଓମ ଗ୍ରୁପ୍, ସମାଜସେବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ସହାୟତାରେ ଆରମ୍ଭ କରିଛନ୍ତି ଆମ ଆମ୍ବୁଲାନ୍ସ ସେବା। ସରକାରୀ ଆମ୍ବୁଲାନ୍ସ ସେବା ଭଳି ଏଥିରେ ବି ପଞ୍ଚାୟତବାସୀ ମାଗଣା ସେବା ପାଇବେ। ଏହି ସେବାକୁ ଆଜି ସ୍ଥାନୀୟ ଶିବ ମନ୍ଦିରରେ ପୂଜାପାଠ ପରେ ଆରମ୍ଭ କରାଯାଇଛି।

ଜଗମୋହନ ପାତ୍ର କହିଛନ୍ତି, “ପର୍ଯ୍ୟାପ୍ତ ପରିମାଣର ୧୦୮ ଆମ୍ବୁଲାନ୍ସ ନଥିବାରୁ ଆମ ଗାଁ ଲୋକ ଓ ପଞ୍ଚାୟତବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୋଭିଡ ସମୟରେ ଲୋକମାନେ ଆମ୍ବୁଲାନ୍ସ ପାଇଁ ଡହଳ ବିକଳ ହେଉଥିଲେ। ଅନେକ ସମୟରେ ଆମ୍ବୁଲାନ୍ସ ଲୋକଙ୍କ ପାଖରେ ପହଞ୍ଚି ପାରୁ ନଥିଲା। ହେଲେ ଏବେ ନୂଆ ଆମ୍ବୁଲାନ୍ସ ଡକରା ପାଇବା ମାତ୍ରେ ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିବ।

ସମସ୍ତଙ୍କ ସହାୟତାରେ ଏହି ସେବା ଆରମ୍ଭ କରାଯାଇଛି। ଲୋକେ ଭାବୁଥିବେ ଆମ୍ବୁଲାନ୍ସ ପାଇଁ ତେଲ କେମିତି ଆସିବ ଓ ଡ୍ରାଇଭର ଦରମା କେମିତି ପାଇବେ? ହେଲେ ମୁଁ ଏଠି କହିବାକୁ ଚାହୁଁଛି ଯେ ହରିଓମ ଗ୍ରୁପର ସଦସ୍ୟମାନେ ମାସିକ ୫୦ ଟଙ୍କା ଓ ତା’ଠାରୁ ଅଧିକ ନିଜ ସମ୍ବଳ ଅନୁସାରେ ଅର୍ଥ ଦାନ କରିବେ। ସେହିପରି ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ସେମାନଙ୍କ ଦରମା ଆମ୍ବୁଲାନ୍ସ ସେବାରେ ଖର୍ଚ୍ଚ କରିବେ। ଅନ୍ୟ ପଞ୍ଚାୟତର ଲୋକମାନେ ମଧ୍ୟ ଏହି ଆମ୍ବୁଲାନ୍ସ ସେବାର ଫାଇଦା ଉଠାଇ ପାରିବେ। ଯଦି କାହାକୁ ଭୁବନେଶ୍ୱର କିମ୍ବା ଦୂର ସ୍ଥାନକୁ ଜରୁରୀକାଳୀନ ସ୍ଥିତିରେ ଯିବାର ଅଛି, ତା’ହେଲେ ସେମାନେ ଆମ୍ବୁଲାନ୍ସରେ କେବଳ ତେଲ ପକାଇ ଏହାକୁ ବ୍ୟବହାର କରିପାରିବେ।”

ବ୍ରହ୍ମପୁର ଠାରୁ କୋଳଥି ଗାଁ ମାତ୍ର ୮କିମି ଦୂର। ଗାଁର ଅଣଓସାରିଆ ରାସ୍ତା ସହ ଆମ୍ବୁଲାନ୍ସ ପାଇଁ ୧୦୮କୁ କଲ୍ କଲେ ଅନ୍ୟ ରୋଗୀଙ୍କୁ ନେଇ ଯାଉଥିବା କହି ବହୁ ସମୟରେ ବିଳମ୍ବରେ ଗାଡ଼ି ଆସୁଥିଲା। ତେଣୁ ଲୋକଙ୍କୁ ତତ୍କାଳ ସେବା ମିଳ ପାରୁ ନଥିଲା। ହେଲେ ଏବେ ସବୁ ସମସ୍ୟାର ସମାଧାନ କିଛି ପରିମାଣର ହୋଇ ପାରିବ ବୋଲି ଗାଁ ଲୋକମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।