ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯିବ ଯୁକ୍ତଦୁଇ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରୁ ଅଲଗା ହେବ ଯୁକ୍ତଦୁଇ। ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତଦୁଇ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବା ଆଶା କରାଯାଉଛି।

ପ୍ରଥମେ ସିବିଏସଇ ଢାଞ୍ଚାରେ ସିଲାବସ୍ ପରିବର୍ତ୍ତନ। ଆଉ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ନିଷ୍ପତ୍ତି। କଲେଜଗୁଡିକୁ ଅଲଗା କରିବା ନେଇ ବିଭାଗ ଏକ ମୋଡାଲିଟି ପ୍ରସ୍ତୁତ କରୁଛି। ଚଳିତମାସ ସୁଦ୍ଧା ଏ ନେଇ ବିଭାଗକୁ ରିପୋର୍ଟ ମଗାଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ରିପୋର୍ଟ ଆଧାରରେ ଆସନ୍ତା ୨୦୧୬-୧୭ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯୁକ୍ତଦୁଇ ଆସିଲେ ବହୁ ଲାଭ ରାଜ୍ୟ ସରକାର ପାଇବେ। ପୂର୍ବରୁ ଯୁକ୍ତ ଦୁଇ କଲେଜଗୁଡିକୁ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟର ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ବା ରାମସା ଯୋଜନାରେ ଅର୍ଥ ମିଳୁ ନ ଥିଲା। ଫଳରେ ପ୍ରତିବର୍ଷ ରାଜ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହରାଉଥିଲା। ଏଣିକି ଏହି କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ମିଳିବ। ସେହିପରି ଯୁକ୍ତଦୁଇ କଲେଜ ଅଧ୍ୟାପକ ଏଣିକି କେବଳ ଯୁକ୍ତଦୁଇ କ୍ଲାସ କରିବେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଲେ ସିବିଏସ୍ଇ ଶୈଳୀରେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶ ଓ ଆଡମିଶନ ପ୍ରକ୍ରିୟା ସହଜ ହେବ।