ପ୍ରଥମରୁ ଅଷ୍ଟମ ଯାଏ ବିନା ପରୀକ୍ଷାରେ ସବୁ ପାସ୍‌‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍। ଗତବର୍ଷ ଭଳି ଏଥର ବି ପରୀକ୍ଷା  ନ କରି କ୍ଲାସ ପ୍ରମୋସନ କରାଯିବ। ଆଜି ସ୍କୁଲ୍ ଓ ଗଣଣିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନ୍‌ଲାଇନ୍‌ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋଇପାରିନାହିଁ। ତେଣୁ ପରୀକ୍ଷା କରିବା ଅସମ୍ଭବ। ସେଥିପାଇଁ ଯେଉଁପରି ଭାବେ ଗତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତ ବର୍ଷ ମଧ୍ୟ ସେହି ଢାଞ୍ଚା ଆପଣାଯିବ।

ଅପରପକ୍ଷେ, ଏବେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ କ୍ଲାସ ରୁମ୍‌ ଚାଲିଛି। ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ତେଣୁ ସେମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସିବିଏସ୍‌ଇ ଏପ୍ରିଲରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସ୍କୁଲ ଖୋଲାଯାଇପାରିବ ନାହିଁ। ଜୁନ୍‌ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।