ଭଡ଼ା ଘରେ ଚାଲିଥିଲା ଦେହ ବେପାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭଡ଼ା ଘରେ ଚାଲିଥିଲା ଦେହବେପାର। ଆଉ ଦେହବେପାରରେ ଲାଗୁଥିଲେ ବେଙ୍ଗଲୀ ରୁପଜୀବୀ। ସେଥିପାଇଁ ପ୍ରତିଦିନ ସନ୍ଧ୍ୟା ବେଳେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। ଆଜି ସନ୍ଧ୍ୟା ବେଳେ ସେହି ଘରେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ଚଢ଼ଉ କରି ୪ ବେଙ୍ଗଲୀ ରୁପଜୀବୀଙ୍କ ସମେତ ୮ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ରାଣୀ ମହୁମାଛି ଓ ୩ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବଲାଙ୍ଗିର ସହର ଶାସ୍ତ୍ରୀନଗର ପଡାରେ ତିଆରି ହୋଇଛି ଦୁଇ ମହଲା ବିଶିଷ୍ଟ ଘର। ସେହି ଘରଟିକୁ ପାଟଣାଗଡ଼ ଅଞ୍ଚଳର ଜଣେ ମହିଳା ଭଡ଼ାରେ ନେଇଥିଲେ। ମାସକୁ ମୋଟା ଅଙ୍କର ଭଡ଼ା ଦେଉଥିଲେ। ମହିଳା ଜଣକ ସେହି ଘରେ ଦେହଜୀବୀଙ୍କୁ ରଖି ଦେହ ବେପାରରେ ନିୟୋଜିତ କରାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଜି ସନ୍ଧ୍ୟା ବେଳେ ଟାଉନ୍‌ ଥାନା ପୁଲିସ୍‌ ହଠାତ ସେହି ଘରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଉକ୍ତ ଘରୁ ୩ ଜଣ ଗ୍ରାହକଙ୍କ ସହିତ ରାଣୀ ମହୁମାଛିକୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟପକ୍ଷରେ ସେହି ଘରୁ ୮  ଦେହଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ପଠାଇ ଦେଇଛି ପୁଲିସ୍‌। ଉଦ୍ଧାର ଦେହଜୀବୀଙ୍କ ଭିତରୁ ୪ ଜଣ କଲିକତାରୁ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ତେବେ କେତେଦିନ ଧରି ଏଠାରେ ଦେହ ବେପାର ଚାଲିଥିଲା? ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।