ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ନାମ ଲେଖା ନେଇ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଆଜିଠୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ୨ଦିନ ଧରି ଚାଲିବ। ୧୫ ଓ ୧୬ ଦୁଇଦିନ ଧରି ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଡିଏମ୍ଇଟି ୱେବସାଇଟରେ ଅନଲାଇନରେ ନାମ ପଞ୍ଜୀକରଣ କରାଯିବ।

ଏହାପରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରାଙ୍କ ଅନୁସାରେ ୨୨ ଓ ୨୩ ତାରିଖରେ ଆଡମିସନ୍ ହେବ। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ଜଣ ପିଲାଙ୍କ ମଧ୍ୟରୁ ୫୫ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରେ ଓ ୫୪ଜଣ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜରେ ନାମ ଲେଖାଇବେ। ଅନ୍ୟ ୧୫ଜଣ ପିଲା ତିନୋଟି ଘରୋଇ ମେଡିକାଲ କଲେଜରେ ଆଡମିଶନ ନେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଡିଏମ୍ଇଟି କର୍ତ୍ତୃପକ୍ଷ ଗତ ଶୁକ୍ରବାର ସର୍ଦ୍ଦାର ରାଜାସ୍ ୧୨୪ ପିଲାଙ୍କ ଆଡମିଶନ୍ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ।

ହାଇକୋର୍ଟଙ୍କ ନିଦ୍ଦେର୍ଶକୁ ଚ୍ୟାଲେଞ୍ଜ କରି ସୋମବାର ୩ଟି ସରକାରୀ ମେଡିକାଲ କଲେଜର ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ପିଟିସନ୍ ଦାଏର କରିଛନ୍ତି। ସେହିପରି ସେମାନେ ହାଇକୋର୍ଟରେ ମଧ୍ୟ ଏକ ମିସକେଶ୍ ଦାଏର କରି ଆଡମିଶନ୍ ସଂକ୍ରାନ୍ତ ପୂର୍ବ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ନିବେଦନ କରିଛନ୍ତି।