ମନ୍ଦିରରେ ମହିଳାଙ୍କୁ ପୂଜକଙ୍କ ଦୁର୍ବ୍ୟବହାର!

ସୋର (ଶଶୀକାନ୍ତ ବେହେରା): ଏବେବି ମଣିଷ ମନ ଭିତରେ ଘର କରିଛି ଜାତିଆଣ ଭାବନା। ମଣିଷ ମଣିଷ ଭିତରେ ରହିଛି ଛୁଆଁ ଅଛୁଆଁ ଭେଦଭାବ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ। ଶିବରାତ୍ରୀ ଅବସରରେ ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଜାତିଆଣ ଅକ୍ଷେପ କରି ପୂଜକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସିମୁଳିଆ ଥାନା ଚାଲୁଣିଗାଁ ଗ୍ରାମରେ ଅବସ୍ଥାପିତ କରିଛନ୍ତି ବାବା ରାମେଶ୍ୱର। ଆଜି ଶିବରାତ୍ରୀ ଥିବାରୁ କେତେକ ମହିଳା ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ମାତ୍ର ମନ୍ଦିରର ପୂଜକ ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ପୂଜକଙ୍କ ବିରୋଧରେ ମହିଳାମାନେ ସିମୁଳିଆ ଥାନାରେ ଅଭିଯୋ କରିଥିଲେ। ପରେ ମହିଳାମାନେ ଥାନା ଆଗରେ ଧାରଣାରେ ବସିଥିଲେ। ଚାଲୁଣିଗାଁ ଗ୍ରାମର ପୁଷ୍ପାଞ୍ଜଳି ମଳିକ, ତପସିନୀ ମଳିକ, ପାର୍ବତୀ ମଳିକଙ୍କ ସମେତ ୧୦ରୁ ଅଧିକ ମହିଳା ଧାରଣାରେ ବସିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ପୁଲିସର ପ୍ରତିକ୍ରିୟା ମିଳିପାରିନି।

ଜଣେ ମହିଳାଙ୍କ କହିବା ଅନୁସାରେ-“ଆଜି ଶିବରାତ୍ରୀ ଥିବାରୁ ମୁଁ ପୂଜା କରିବାକୁ ମନ୍ଦିର ଯାଇଥିଲି। ପୁଷ୍ପାଞ୍ଜଳି ଦେବା ପାଇଁ ପୂଜକ ସମସ୍ତଙ୍କ ହାତରେ ଫୁଲ ଦେଇଥିଲେ। ମାତ୍ର ମୋତେ ଫୁଲ ଦେଲେନାହିଁ। ମୁଁ ପଚାରିବାକୁ ମୋତେ ଜାତିଆଣ ଆକ୍ଷେକ କରି ଦୁର୍ବ୍ୟବହାର କରିଥିଲେ। ମୋତେ ପୁଷ୍ପାଞ୍ଜଳି ଦେବାକୁ ଦିଆଗଲା ନାହିଁ। ସେଥିପାଇଁ ଆମେ ଥାନାରେ ଅଭିଯୋଗ କରିଛୁ। ସମସ୍ତଙ୍କ ପରି ଆମେ ମଧ୍ୟ ମନ୍ଦିର ଭିତରେ ପୁଷ୍ପାଞ୍ଜଳି ଦେବାକୁ ଚାହୁଁଛୁ। ଆମକୁ ଆମ ଅଧିକାର ଦିଆଯାଉ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।