ସିଗାରେଟ୍‌ ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ସିଗାରେଟ୍ ନ ଦେବାରୁ ଜଣେ ଦୋକାନୀଙ୍କ ଉପରେ ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡ଼ପଟାର ଖଡ଼ିବାହାଳି ଛକ ନିକଟରେ। ଆହତ ଦୋକାନୀ ଜଣଙ୍କ ହେଲେ ଜଗବନ୍ଧୁ ମହାନ୍ତ। ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାପରେ ଅଭିଯୁକ୍ତ ସିପୁ ନାୟକ ଫେରାର ହୋଇଯାଇଛି। ସିପୁର ଘର ବରିପାଳ ଅଞ୍ଚଳରେ।

ଗତକାଲି ରାତିରେ ସିପୁ ଜଗବନ୍ଧୁଙ୍କ ଦୋକାନରେ ପହଞ୍ଚି ସିଗାରେଟ୍ ମାଗିଥିଲେ। ଜଗବନ୍ଧୁ ସିଗାରେଟ୍‌ ଦେବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ  ବଚସା ହୋଇଥିଲା। ପରେ ସିପୁ ଉତ୍‌କ୍ଷିପ୍ତ ହୋଇ ପକେଟରୁ ବନ୍ଧୁକ ବାହାର କରି ଜଗବନ୍ଧୁଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳିଟି ତାଙ୍କ ବେକରେ ବାଜିଥିଲା।

ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଳା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।