ଓଡ଼ିଶାରେ କେନ୍ଦ୍ରୀୟ ଟିମ୍, ଶିମିଳିପାଳ ନିଆଁ ଲାଗିବା କାରଣ ଖୋଜିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳୁଛି ଶିମିଳିପାଳ ଜଙ୍ଗଲ। ଗତକାଲି ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ଏହି ନିଆଁ କିଭଳି ଲାଗିଲା ତାର ଅନୁଧ୍ୟାନ କରିବା ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୟ ଟିମ ସଦସ୍ୟ। ଏନ୍‌ଟିସିଏ ଆଇଜି ଅମିତ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୂର୍ବରୁ ଟିମ୍‌ର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ଅଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍‌ର ଏହି ଦୁଇ ସଦସ୍ୟ ଶିମିଳିପାଳ ଗସ୍ତରେ ଯାଇଛନ୍ତି। ସେଠାକୁ ଯାଇ ନିଆଁ ଲାଗିବା କାରଣ ଓ ନିରାକରଣର ଅନୁଧ୍ୟାନ କରିବେ।

ସେପଟେ ଗତକାଲି ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପରେ ବାରିପଦାରେ ପହଞ୍ଚିଥିଲେ ଅତିରିକ୍ତ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମା। ମୟୂରଭଞ୍ଜ ଜିଲ୍ଲାପାଳ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ, ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲରେ ନିଆଁ କିପରି ଲାଗିଲା ଓ ଏହାକୁ ନେଇ ନିୟନ୍ତ୍ରଣ ବ୍ୟବସ୍ଥା କ’ଣ ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ରାଜ୍ୟରେ ଗତ ୯ ତାରିଖ ଦିନ ୨୯୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଏହା ୨୬୮ ଟି ସ୍ଥାନକୁ ଖସିଛି। କେବଳ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ୨୪ଟି ଫାୟାର ପଏଣ୍ଟ ରହିଛି। ନିଆଁ ଲିଭା କାର୍ଯ୍ୟରେ ୭୫୦ ଜଣ ନିୟମିତ  କର୍ମଚାରୀ, ୮୦୦ ଫାୟାର ଓ୍ୱାଚର ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ୨ଟି ଓଡ୍ରାଫ୍ ଟିମ୍ ନିଆଁ ଲିଭାରେ ଲାଗିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।