ସିଙ୍ଗାପୁରର ଜନକ ଲି କ୍ୱାନ୍ ୟୁଙ୍କ ସ୍ମରଣିକା ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ସିଙ୍ଗାପୁର ଗସ୍ତରେ ଥିବା ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ସେଠାରେ ଲି କ୍ୱାନ ୟୁଙ୍କ ଉପରେ ଲିଖିତ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିଛନ୍ତି। ପିତା ଲି କ୍ୱାନ୍ ୟୁ ହେଉଛନ୍ତି ସିଙ୍ଗାପୁରର ଜନକ।  ସିଙ୍ଗାପୁର ଅର୍ଥ ମନ୍ତ୍ରୀ ହେଙ୍ଗ ସ୍ୱି କିଟ୍ ଓ କିଛି ବଛା ବଛା ଛାତ୍ରଛାତ୍ରୀଙ୍କ ସହିତ ମିଶି ସାଂସଦ ପଣ୍ଡା ଏହି ପୁସ୍ତକ ଉନ୍ମୋଚନ କରିଥିଲେ। ସିଙ୍ଗାପୁରର ଇନଷ୍ଟିଚ୍ୟୁଟ୍ ଫର୍ ସାଉଥ୍ ଏସିଆନ୍ ଷ୍ଟଡିଜ୍ (ଆଇଏସ୍ଏଏସ୍)ର ୧୦ ବାର୍ଷିକ ଉତ୍ସୋବ ଅବସରରେ ସାଂସଦ ପଣ୍ଡା ଓ ସିଙ୍ଗାପୁର ଅର୍ଥ ମନ୍ତ୍ରୀ ହେଙ୍ଗ ସ୍ୱି କିଟ୍ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଜଟିଳ ରାଜନୀତି ଓ ଜମି ଅର୍ଥନୀତି ସଂପର୍କିତ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣ ଏସିଆ, ୟୁରୋପ ଓ ଆମେରିକାରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ। ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ହାଇକମିଶନର ବିଜୟ ଠାକୁର ସିଂହ, ପୂର୍ବତନ ସିଭିସି ବିନୋଦ ରାୟ ଏବଂ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଡି ସୁବାରାଓ ପ୍ରମୁଖ ଯୋଗ ଦେଇଥିଲେ।