ଭଉଣୀଙ୍କ ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

ବାଲିଗୁଡ଼ା (ଅଜିତ ନାୟକ): ମୋବାଇଲ୍‌ ଫେରାଇବା ପାଇଁ ପ୍ରେମିକାଙ୍କ ଘରକୁ ଆସିଥିଲେ ପ୍ରେମିକ। ଦେଖାହୋଇଗଲା ପ୍ରେମିକାଙ୍କ ଭାଇ ସହ। ଆଉ ତା’ପରେ ରାଗିଯାଇ ଭଉଣୀଙ୍କ ପ୍ରେମିକଙ୍କୁ ବହେ ଗାଳିଦେଲେ। ଟାଙ୍ଗିଆରେ ହାଣି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏପରି ନୃଶଂସ ହତ୍ୟାକାଣ୍ଡ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଘଟିଛି। ଆତ୍ମହତ୍ୟା ପରେ ପ୍ରେମିକାଙ୍କ ଭାଇ ଥାନାରେ ଆତ୍ମସମର୍ପଣ କରିଛନ୍ତି।

କୂଳପଦର ଗାଁର ପ୍ରଦୀପ କୁମାର ମଲିକ ଗୁଞ୍ଜିବାଡି ପଞ୍ଚାୟତ ଅଞ୍ଚର ସେଲି(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ସେଲି ମଧ୍ୟ ପ୍ରଦୀପଙ୍କୁ ପ୍ରେମ କରୁଥିଲେ। ତେବେ ୯ ତାରିଖରେ ସେଲି ରାଇକିଆ ବୁଲିକୁ ଯାଇଥିଲେ। ସେଠାରେ ପ୍ରେମିକ ପ୍ରଦୀପଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଆଉ ପ୍ରଦୀପ ତାଙ୍କୁ ତାଙ୍କ ଘରକୁ ଯିବା ପାଇଁ କହିଥିଲେ। କିନ୍ତୁ ସେଲି ଏଥିରେ ରାଜି ହୋଇନଥିଲେ। ଏହା ପରେ ପ୍ରଦୀପ ତାଙ୍କ ମୋବାଇଲ ନେଇଯାଇଥିଲେ।

୧୦ ତାରିଖରେ ପ୍ରଦୀପ ମୋବାଇଲ ଫେରାଇବା ପାଇଁ ପ୍ରେମିକାଙ୍କ ଗାଁକୁ ଆସିଥିଲେ। ସେଠାରେ ପ୍ରଦୀପ ଓ ପ୍ରେମିକାଙ୍କ ଭାଇଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରଦୀପ ବାଇକ୍‌ରେ ସେଠାରୁ ପଳାଇ ଆସିବାକୁ ଚେଷ୍ଟା କରୁଥିଲେ। ତେବେ ପ୍ରେମିକାଙ୍କ ଭାଇ ଉତ୍ତ୍ୟକ୍ତ ହୋଇ ପ୍ରେମିକ ପ୍ରଦୀପ ମଲିକଙ୍କୁ ଗୋଡ଼ା ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ମୃତଦେହକୁ ପ୍ରେମିକର ବାଇକରେ ଲଦି ଗୁଞ୍ଜିବାଡି ନିକଟ ବାଡୁବାଡ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲା।

ଆଜି ସକାଳେ ପ୍ରେମିକାଙ୍କ ଭାଇ ସାରଙ୍ଗଡ ଥାନାରେ ଆତ୍ମସମର୍ପଣ କରିଥିଲା। ଆଉ ହତ୍ୟା କରିଥିବା ସ୍ୱୀକାର କରିଥିଲା। ସାଇଣ୍ଟିଫିକ ଟିମ୍‌ ସହାୟତାରେ ସାରଙ୍ଗଡ ଥାନା ପୁଲିସ୍‌ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପ୍ରେମିକଙ୍କ ବାଇକ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।