ବଲାଙ୍ଗିରରେ ଦେବାଧିଦେବ ମହାଦେବଙ୍କ ବାହାଘର ଆଜି, ଦୁଲଦୁଲିରେ ଦୁଲୁକୁଛି ସାରା ପରିବେଶ

ବଲାଙ୍ଗିର(ସସ୍ମିତା ସାହୁ): ଆଜି ଅନୁଷ୍ଠିତ ହେବ ଦେବାଧିଦେବ ମହାଦେବଙ୍କ ବାହାଘର । ବଲାଙ୍ଗିର ସହରର ବିଭିନ୍ନ ଶିତଳଷଷ୍ଠୀ ଯାତ୍ରା କମିଟି ଦ୍ୱାରା ସଂନ୍ଧ୍ୟାରେ ବାହାରିଛି ମହାଦେବଙ୍କ ବରଯାତ୍ରୀ। ବର ବେଶରେ ମହାଦେବ ବାହାରିବା ବେଳେ ନର କିନ୍ନର ସମସ୍ତେ ସାମିଲ ହେବେ ଏହି ବରଯାତ୍ରୀରେ।

ଗତକାଲି ସଂନ୍ଧ୍ୟାରେ ସନାତନ ମନ୍ଦିରଠାରେ ଚନ୍ଦ୍ରଶେଖର  ବାବା ଏବଂ ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ବା ପିନ୍ଧାଣି ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ ସହିତ ରୀତିନୀତିରେ ଠାକୁରଙ୍କୁ ଅଳଙ୍କାର ଧାରଣ କରାଯାଇଥିଲା । ସହରର ଅନ୍ୟ ପଡାରେ ଆଜି ରାତିରେ ଅଳଙ୍କାର ଧାରଣ  ଏବଂ ବାହାଘର ଅନୁଷ୍ଠିତ ହେବ।  ଭୋଳେବାବାଙ୍କ ବରାତି ପାଇଁ  ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ଅନ୍ୟପଟେ ଯାତ୍ରାକୁ ଦୃଷ୍ଟିରେ ରଖି ସହର  ସାରା ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା  ସହିତ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ ଜିଲ୍ଳା ପୋଲିସ ପକ୍ଷରୁ ସ୍ୱତନ୍ତ୍ର  ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟାଉନଥାନାଠାରେ ବରିଷ୍ଠ ପୋଲିସ  ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତି କରିଛନ୍ତି । ଯାତ୍ରାରେ  ଜଣେ ଆଡିସନାଲ ଏସ୍.ପିଙ୍କ ନେତୃତ୍ୱରେ ୨ ଜଣ ଡି.ଏସ୍.ପି, ୪ ପ୍ଳାଟୁନ  ପୋଲିସ ଫୋର୍ସ, ୧୫୦ ଜଣ ହୋମଗାର୍ଡ, ୧୭ ଜଣ ଟ୍ରାଫିକ କନଷ୍ଟେବଲ,  ୧୯ ଜଣ ଏ.ଏସ୍.ଆଇ, ୧୦ ଜଣ ଏସ୍.ଆଇ ଏବଂ ୩ ଜଣ  ଇନସପେରଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦାୟିତ୍ୱ  ଦିଆଯାଇଛି।

ଶିତଳଷଷ୍ଠୀ ଯାତ୍ରାରେ ଏକ ମୁଖ୍ୟ ଭୂମିକା  ନେଇଥାଏ ଦୁଲିଦୁଲି ବାଦ୍ୟ । ଦେବଦଂପତ୍ତିଙ୍କୁ ବର ଓ କନ୍ୟା ପିତା ମାତା  ଘରକୁ ପାଛୋଟି ଆଣିବା ଦିନଠୁ, ପତରପେଣ୍ଡି, ବାହାଘର ଏବଂ  ଶୋଭାଯାତ୍ରା ପର୍ଯ୍ୟନ୍ତ ସବୁଠାରେ ଦରକାର ହୋଇଥାଏ ପଂଚବାଦ୍ୟ  ଦୁଲିଦୁଲି । ଅନ୍ୟ ଯେତେ ପ୍ରକାର ବାଦ୍ୟ, ନୃତ୍ୟ ହେଲେ ମଧ୍ୟ ଦୁଲଦୁଲି  ନ ହେଲେ ସବୁ ଫିକା ପଡିଲା ଭଳି ଲାଗେ।