ମହାଦେବଙ୍କ ବାହାଘର ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

ବଲାଙ୍ଗିର(ସସ୍ମିତା ସାହୁ): ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଦେବାଧିଦେବ ମହାଦେବଙ୍କ ବାହାଘର।  ହାତରେ ଆଉ ମାତ୍ର ପାଞ୍ଚ ଦିନ ଥିବାରୁ ବଲାଙ୍ଗିର ସହରର ବିଭିନ୍ନ ପଡ଼ାର ଶିତଳଷଷ୍ଠୀ ଯାତ୍ରା କମିଟି ଦ୍ୱାରା ଜୋରସୋରରେ ଚାଲିଛି ପ୍ରସ୍ତୁତି।  ସହରର ପ୍ରାୟ ୧୦ ଟି ସ୍ଥାନରେ  ଏ ବର୍ଷ ଅନୁଷ୍ଠିତ ହେବ ଶିତଳଷଷ୍ଠୀ ଯାତ୍ରା।  ବଲାଙ୍ଗିର ରାଧାରାଣୀପଡାରେ ଜାକଜକମ  ସହିତ ଅନୁଷ୍ଠିତ ହେବ ଏହି ଯାତ୍ରା।  ଆସନ୍ତା ୧୫ ତାରିଖରେ ଯାତ୍ରା କମିଟି ଦ୍ୱାରା ଚନ୍ଦ୍ରଶେଖର ମନ୍ଦିରରୁ ବରକନ୍ୟାଙ୍କ ବିଗ୍ରହକୁ ରୀତିନୀତିରେ ପୂଜାର୍ଚ୍ଚନା ସହିତ ରାଧାରାଣିପଡା ସନାତନ ମନ୍ଦିର ନିକଟକୁ ପାଛୋଟି ନିଆଯିବ।  ତା’ପରେ ସେଠାରୁ ବରକନ୍ୟାଙ୍କୁ ନିଜ ନିଜ ଘରକୁ ପାଛୋଟି ନେବେ କନ୍ୟା ମାତାପିତା।  କନ୍ୟା ମାତାପିତା ଭାବେ ସୁନିଲ କୁମାର ମିଶ୍ର ଏବଂ ସୂଚିସ୍ମିତା, ଏବଂ ବର ମାତାପିତା  ଭାବରେ କଂସାରୀପଡାର ଦଶରଥ ବେହେରା ଏବଂ ମିନା ସୌଭାଗ୍ୟଲାଭ କରିଛନ୍ତି।  କନ୍ୟା ମାତା ପିତାଙ୍କ ଘରେ ଏବେ ବନ୍ଧୁବାନ୍ଧବଙ୍କ ଭିଡ।  ମାତା ପାର୍ବତୀଙ୍କୁ କନ୍ୟା ଭାବରେ ପାଇ ବେଶ ଖୁସି ପିତା, ମାତା।  ବାହାଘର ସରଞ୍ଜାମ କିଣାବିକାରେ ଲାଗିପଡିଛନ୍ତି ସମସ୍ତେ।