ଆସନ୍ତାକାଲି ଶିବ ବିବାହ: ଉତ୍ସବ ମୁଖର ସମଗ୍ର ପରିବେଶ

ବଲାଙ୍ଗିର (ସସ୍ମିତା ସାହୁ): ଆସନ୍ତାକାଲି ଶିବ ବିବାହ। ସେଥିପାଇଁ ଉତ୍ସବ ମୁଖର ହୋଇଛି ବଲାଙ୍ଗିର ସହର। ବିଭିନ୍ନ ଶିବ ମନ୍ଦିରରେ ବିଗ୍ରହମାନଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା ସହିତ ପିତା ଓ ମାତାଙ୍କ ଘରକୁ ଅଣାଯାଇଛି। ଅନ୍ୟପକ୍ଷରେ ଭୋଲେବାବାଙ୍କ ବରାଯାତ୍ରୀ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ୧୯ ତାରିଖର ଯୁଗଳବନ୍ଦି ଶୋଭାଯାତ୍ରା ପାଇଁ ଯାତ୍ରା କମିଟିର କର୍ମକର୍ତ୍ତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ନିଜ ନିଜର ଶୋଭାଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ରାତି ଦିନ ଏକ କରି ଦେଇଛନ୍ତି ବିଭିନ୍ନ ପୂଜା କମିଟି।

ଆଜି ସକାଳେ ସାଗରପଡାର ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ। ପ୍ୟାଲେସ ଲାଇନ ଶିତଳଷଷ୍ଠୀ ଯାତ୍ରା ପାଇଁ ବର ପିତା ଭୀଷ୍ମ ସାହୁ(ଭୋଲେବାବା) ଓ କନ୍ୟା ପିତା ଦ୍ୱାରିକା ପଣ୍ଡା (ମାତା ପାର୍ବତୀ)ଙ୍କୁ ନିଜ ନିଜ ଘରକୁ ପାଛୋଟି ନେଇଥିଲେ। ଏହି ସମୟରେ ଦୁଲଦୁଲି ବଜାରେ କଂପିଯାଇଥିଲା ସାରା ପରିବେଶ। ସେପଟେ ଯୁଗଳବନ୍ଦୀ ଶୋଭାଯାତ୍ରା ପାଇଁ  ପ୍ରସ୍ତୁତିରେ ଲାଗିପଡିଛନ୍ତି ପ୍ୟାଲେସ ଲାଇନ ଶିତଳଷଷ୍ଠୀ ଯାତ୍ରା କମିଟି। ଜୋରସୋରରେ ଚାଲିଛି ପ୍ରଭା ଓ ମେଢ ତିଆରି କାମ। ଏଥିସହିତ ଶିତଳଷଷ୍ଠୀ ଉପଲକ୍ଷେ ଏଇଠି ଅନୁଷ୍ଠିତ ହେବ ଷୋହଳ ପ୍ରହରୀ ନାମଯଜ୍ଞ।

କଣ ରହିଛି ପୌରାଣିକ କଥା

ପୂର୍ବ ଇଚ୍ଛା ଅନୁସାରେ ମାତା ସତୀ, ହିମାଳୟଙ୍କ ପତ୍ନୀ ମେନକାଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ପର୍ବତରାଜାଙ୍କ ଝିଅ ହୋଇଥିବାରୁ ତାଙ୍କ ନାମ ପାର୍ବତୀ ଦିଆଗଲା। ପାର୍ବତୀ ଶିବଙ୍କୁ ପତି ଭାବରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ପାର୍ବତୀଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସପ୍ତର୍ଷିଙ୍କୁ ପଠାଇଥିଲେ। ସପ୍ତର୍ଷି ପାର୍ବତୀଙ୍କ ସମ୍ମୁଖରେ ଶିବ ଭଗବାନଙ୍କ ଅନେକ ପ୍ରକାର ଦୁର୍ଗୁଣ ବର୍ଣ୍ଣନା କରିଥିଲେ। ତଥାପି ଶିବକୁ ବିବାହ କରିବେ ବୋଲି ରୋକଠୋକ ଶୁଣାଇଦେଇଥିଲେ ଦେବୀ ପାର୍ବତୀ। ତା’ପରେ ଭୋଲେବାବା କୁମ୍ଭୀର ରୂପ ଧାରଣ କରି ପାର୍ବତୀଙ୍କ ପରୀକ୍ଷା ନେଇଥିଲେ। ପରେ ତାଡକା ଅସୁରର ବଧ କରିବା ପାଇଁ ଶିବ ପାର୍ବତୀଙ୍କ ବିବାହ ଜରୁରୀ ହୋଇପଡିଥିଲା। ତେଣୁ ଦେବତାମାନଙ୍କ ପ୍ରଚେଷ୍ଟାରେ ଶିବ ପାର୍ବତୀଙ୍କ ବାହାଘର ହୋଇଥିଲା।  ପୌରାଣିକ କଥାବସ୍ତୁକୁ ନେଇ ଆଜି ଗାଁଠୁ ସହର ସବୁଠି ଅନୁଷ୍ଠିତ ହେଉଛି ଶିବ ବିବାହ ବା ଶିତଳଷଷ୍ଠୀ ଯାତ୍ରା।