ଗଜପତି ସ୍ଥିତି ଗମ୍ଭୀର, ନୟାଗଡ଼ରେ ଭାସିଗଲେ ଯୁବକ
ରାଇକିଆ ବ୍ଲକ୍ ବାକିଙ୍ଗିଆ ଗାଁର ମୁଖ୍ୟ ରାସ୍ତା ପୋଲ ଭାସି ଯାଇଛି
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ଗମ୍ଭୀର ହୋଇପଡ଼ିଛି।
ପାରଳାଖେମୁଣ୍ଡିର ୧୫ଟି ସାହିରେ ବର୍ଷା ଜଳ ପଶି ଯାଇଛି। ନୂଆ କେରାଣ୍ଡି, ପୁରୁଣା କେରାଣ୍ଡି, ଡାଳିମ୍ଭପୁର ଓ ଅମରା ଅଞ୍ଚଳରେ ପାଣି ପଶିଛି।
ସେହିପରି ତଳି ଅଞ୍ଚଳ ସହ ବିଭିନ୍ନ ସ୍ଥାନରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ରାସ୍ତା ଉପରେ ପ୍ରବଳ ପାଣି ପ୍ରବାହିତ ହେଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମହେନ୍ଦ୍ରତନୟା ନଦୀ ଫୁଲିବାରେ ଲାଗିଛି। ପାରଳାଖେମୁଣ୍ଡି-ଆନ୍ଧ୍ର ବିଚ୍ଛିନ୍ନ ହୋଇଛି।
ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ଲଣ୍ଡାପାଦୁ ଗାଁରେ ନଦୀରେ ଜଣେ ଯୁବକ ଭାସି ଯାଇଥିବା ଜଣାପଡ଼ିଛି।
ବର୍ଷା ଯୋଗୁ ଫୁଲବାଣୀରେ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଭାଲିଆପଦାର ୨ଟି ପରିବାରକୁ ପ୍ରଶାସନ ସ୍ଥାନାନ୍ତର କରିଛି।
ଲଗାଣ ବର୍ଷା ଯୋଗୁ ରାଇକିଆ ବ୍ଲକ୍ ବାକିଙ୍ଗିଆ ଗାଁର ମୁଖ୍ୟ ରାସ୍ତା ପୋଲ ଭାସି ଯାଇଛି। ଦାରିଙ୍ଗବାଡ଼ି ବ୍ଲକ୍ର ବାଡ଼ାବାଙ୍ଗା ପୋଲ ଉପରେ ବର୍ଷା ପାଣି ଚାଲୁଥିବାରୁ ରାଇକିଆରୁ ସିମନବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏହାସହ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିଛି। ତେଣୁ ମୋବାଇଲ୍ ସେବା ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ ଲୋକେ ୧୦୮ ଆମ୍ୱୁଲାନ୍ସସକୁ ଫୋନ୍ କରିପାରୁ ନାହାନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ପ୍ରଶାସନକୁ ଖବର ଦେବା ସମ୍ଭବ ହେଉ ନଥିବା ଜଣାପଡ଼ିଛି।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଲଗାଣ ବର୍ଷାରେ ମାଟି ଘର ଧସିଯିବାରୁ ବାପଝିଅ ଆହତ ହୋଇଛନ୍ତି। ଜଣେ ମହିଳା ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।