ବସ୍ତିବାସିନ୍ଦାଙ୍କୁ ତୁଷ୍ଟୀକରଣ, ମିଳିବ ସର୍ବନିମ୍ନ ୩୦ ବର୍ଗମିଟର ଜାଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସହରର ବସ୍ତିରେ ରହୁଥିବା ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ଏଣିକି ବସ୍ତିବାସିନ୍ଦାଙ୍କୁ ସର୍ବନିମ୍ନ ୩୦ବର୍ଗମିଟର ଜାଗା ଯୋଗାଇଦେବେ। ଯଦି କୌଣସି ବସ୍ତିବାସିନ୍ଦାଙ୍କ ପାଖରେ ସର୍ବନିମ୍ନ ୩୦ବର୍ଗମିଟରର ଜାଗା ଦଖଲରେ ନଥିବ ତା’ହେଲେ ସେ ତାଙ୍କ ଜାଗା ପାଖକୁ ଲାଗି ରହିଥିବା ଖୋଲାସ୍ଥାନକୁ ମଧ୍ୟ ଦଖଲକୁ ନେଇପାରିବେ ।

ରାଜ୍ୟ କ୍ୟାବିନେଟ ଏଭଳି ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ପ୍ରଚଳିତ ବ୍ୟବସ୍ଥାରେ ବସ୍ତିବାସିନ୍ଦାମାନଙ୍କ ଦଖଲରେ ଥିବା ଜମିର ପରିମାଣ ସର୍ବୋଚ୍ଚ ସୀମା (ପୌରାଂଚଳରେ ୪୫ବର୍ଗମିଟର ଓ ଏନଏସିରେ ୬୦ବର୍ଗମିଟର)ଠୁ କମ୍ ପରିମାଣରେ ଥିଲେ ସେମାନେ ପ୍ରକୃତରେ ଦଖଲ କରୁଥିବା ପରିମାଣର ଜମି ଉପରେ ଅଧିକାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଅବଶ୍ୟ ବସ୍ତିଗୁଡ଼ିକରେ ଏତେ ପରିମାଣର ଜମି କୌଣସି ଜଣେ ବ୍ୟକ୍ତିଙ୍କ ଦଖଲରେ ରହିବା କ୍ୱଚିତ୍ ଘଟଣା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁସାରେ, ‘ଓଡ଼ିଶାର ସହରାଂଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି’ ଅନୁସାରେ ଅର୍ଥନୀତିକ ଅନଗ୍ରସର ବର୍ଗର ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଗୃହର କାର୍ପେଟ୍ କ୍ଷେତ୍ରର ଆୟତନ ଅନ୍ତତଃପକ୍ଷେ ୨୧ବର୍ଗ ମିଟର ରହିବା ଆବଶ୍ୟକ। ତେଣୁ ଯଦି କୌଣସି ବସ୍ତିବାସିନ୍ଦା ୩୦ବର୍ଗ ମିଟରରୁ କମ୍ ଜମି ଦଖଲ କରୁଥାନ୍ତି, ତେବେ ସେଭଳି ବସ୍ତିବାସିନ୍ଦାଙ୍କୁ ଅନ୍ୟୁନ ୩୦ବର୍ଗମିଟର ଜମି ଯୋଗାଇ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅବା ଅନ୍ୟ ସରକାରୀ ବାସଗୃହ ଯୋଜନାରୁ ସେମାନଙ୍କୁ ବଂଚିତ ହେବାକୁ ପଡ଼ିବ।

ତେଣୁ ଯଦି ସେମାନଙ୍କ ଦଖଲରେ ଥିବା ଜମି ପାଖରେ କିଛି ଖୋଲା ସ୍ଥାନ ଥାଏ, ତେବେ ସେଭଳି ସ୍ଥାନକୁ ମିଶାଇ ଅନ୍ତତଃ ୩୦ବର୍ଗମିଟର ଜମି ଉପରେ ତାତଙ୍କର ଅଧିକାର ନ୍ୟସ୍ତ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମ-୨୦୧୭ର ୨ଟି ପ୍ରାବଧାନକୁ ସଂଶୋଧନ କରାଯାଇଛି। ଯାହାଫଳରେ ପ୍ରକୃତ ଦଖଲ କରାଯାଇଥିବା ଜମିର ପରିମାଣ ଯଦି ୩୦ବର୍ଗମିଟରରୁ କମ୍ ହୁଏ ଓ ଯଦି ତାଙ୍କ ଦଖଲରେ ଥିବା ଜମିକୁ ଲାଗି ଥାଇ କିଛି ଖୋଲାସ୍ଥାନ ଥାଏ, ତେବେ ଦଖଲକାରୀଙ୍କ ପାଇଁ ଅନ୍ୟୂନ ୩୦ବର୍ଗମିଟର ପରିମିତ ଜମି ଉପରେ ଅଧିକାର ସୁନିଶ୍ଚିତ କରାଯାଇପାରିବ ବୋଲି କ୍ୟାବିନେଟ ସମ୍ମତି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।