ସ୍ମାର୍ଟ ସିଟି କାର୍ଯ୍ୟକାରିତା ପ୍ରସଙ୍ଗ: କେନ୍ଦ୍ର ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଏବଂ ବିଏମସି କମିଶନରଙ୍କ  ଭିଡିଓ କନଫରେନ୍ସ

ଭୁବନେଶ୍ୱର: ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ଏକ ନମ୍ବର ହେବା ପରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ରାଜ୍ୟ ସରକାର ଭିଡିଓ କନଫରେନ୍ସିଂ ଜରିଆରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରିଛନ୍ତି। ଏଥିରେ ଫେବୃୟାରୀରୁ ପ୍ରାଥମିକ ପର୍ଯ୍ୟାୟ କାମ ଓ ୬ ମାସ ମଧ୍ୟରେ ସ୍ମାର୍ଟ ସିଟିର ସମସ୍ତ ପ୍ରକଳ୍ପ କାମ ଆରମ୍ଭ ହେବା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟରୁ ରାଉରକେଲା ବାଦ ପଡିବା ପରେ ଏ ସମ୍ପର୍କରେ ଜିଲ୍ଲାପାଳ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି।

ସ୍ମାର୍ଟ ସିଟି ମାନ୍ୟତା ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି। ବିଭିନ୍ନ ପ୍ରକଳ୍ପ କାମ କିପରି ଆରମ୍ଭ ହେବ ସେ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ ଆଲୋଚନା କରିଛନ୍ତି। ଆଲୋଚନାରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ସଚିବ ଓ ବିଏମସି କମିଶନର ଉପସ୍ଥିତ ଥିଲେ। ସହରର ରୂପରେଖ କ’ଣ ହେବ, ନାଗରିକ ସଂଯୋଗୀକରଣ କିପରି ଅଧିକ ଦୃଢ ହେବ ସେ ନେଇ ଆଲୋଚନା ହୋଇଥିଲା। ଏହାସହ ଏସପିଭିଏଲ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ଯେଉଁ ସବୁ ସହରକୁ ସ୍ମାର୍ଟ ସିଟି ପାଇଁ ଘୋଷଣା କରାଯାଇଛି ସେ ସହରର ମ୍ୟୁନିସପାଲ କମିଶନର ଓ ମୁଖ୍ୟ ଶାସନ ସଚିବମାନଙ୍କୁ ଡକାଯାଇଥିଲା। ସ୍ମାର୍ଟ ସିଟି ଲାଗି କ’ଣ କ’ଣ କାମ କରିବାକୁ ପଡିବ ସେ ନେଇ ଆଲୋଚନା ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନର ଓ ରାଉରକେଲା ଏଡିଏମଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ ମଧ୍ୟ ଭିଡିଓ କନଫରେନ ଜରିଆରେ ଆଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ତାଲିକାରେ ରାଉରକେଲା ସ୍ଥାନ ପାଇ ନ ଥିଲେ ମଧ୍ୟ ୫୧.୫ ପ୍ରତିଶତ ସ୍କୋର କରି ଷ୍ଟିଲ ସିଟି ୪୬ତମ ସ୍ଥାନରେ ରହଛି। ସ୍ମାର୍ଟ ସିଟି ସମ୍ପର୍କିତ ରାଉରକେଲା ରିପୋର୍ଟକୁ ସଂଶୋଧନ କରି ପୁନଃ ଆବେଦନ କରିବାକୁ କ୍ୟାବିନେଟ ସଚିବ ପରାମର୍ଶ ଦେଇଛନ୍ତି।

ରାଉରକେଲା ମାହାନଗର ନିଗମ କମିଶନର ଦୁର୍ଗାପ୍ରସାଦ ମହାପାତ୍ର କହିଛନ୍ତି, ଆମ ଆବେଦନରେ କିଛି ତ୍ରୁଟି ରହିଯାଇଥିବ। ଭାରତ ସରକାର ଆଉ ଥରେ ଆବେଦନ କରିବାକୁ କହିଛନ୍ତି। ସବୁ ତ୍ରୁଟି ସୁଧାରିବା ସହ ଆହୁରି ଭଲ ଆବେଦନ ପଠାଇବୁ।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, ଭୁବନେଶ୍ୱରରେ ଥିବା ସମସ୍ୟାର କିପରି ସମାଧାନ କରାଯିବ ଓ ସାମୂହିକ ଉନ୍ନତି କରାଯିବ ସେ ନେଇ ଉଦ୍ୟମ କରାଯିବ।