ଏପ୍ରିଲ ୧ରୁ ମାସେ ଚାଲିବ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ହେଲମେଟ୍ ଚେକିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ଅତିକମରେ ୧୦ ପ୍ରତିଶତ ହ୍ରାସ କରିବା ଲକ୍ଷ୍ୟରେ ଆସନ୍ତା ଏପ୍ରିଲ ପହିଲାରୁ ଏକମାସ ଧରି ରାଜ୍ୟବ୍ୟାପୀ ହେଲମେଟ୍ ଚେକିଂ ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସଡ଼କ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି ଓ ଭୁବନେଶ୍ୱର ପୁଲିସ କମିଶନରଙ୍କୁ ଗତକାଲି ଚିଠି ଲେଖି ଦୁଇଚକିଆ ଯାନଗୁଡ଼ିକ ସର୍ବାଧିକ ରାସ୍ତା ଦୁର୍ଘଟଣାର ଶିକାର ହେଉଥିବାରୁ ଏପ୍ରିଲ ପହିଲାରୁ ଗାଡ଼ି ଚାଳକ ଓ ପଛରେ ବସିଥିବା ଯାତ୍ରୀଙ୍କ ନିମନ୍ତେ ହେଲମେଟ୍ ପିନ୍ଧା ଯାଂଚକୁ କଡ଼ାକଡ଼ି କରିବାକୁ କହିଛନ୍ତି।

ଆରଟିଓ ଓ ପୁଲିସ କର୍ମଚାରୀମାନେ ମିଳିତ ଭାବେ ଏହି ହେଲମେଟ୍ ଯାଂଚ କାର୍ଯ୍ୟରେ ନିୟୋଜିତ ହେବେ। ଜିଲ୍ଲାଗୁଡ଼ିକରେ କିଭଳି ଏହି ହେଲମେଟ ଚେକିଂ ପାଇଁ ସ୍ୱତନ୍ତ୍ର ଅଭିଯାନକୁ କାର୍ଯ୍ୟକାରୀ କରାଯିବ ତା’ର ରଣନୀତି ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆରଟିଓ ଓ ପୁଲିସ ମିଳିତ ଭାବେ ପରିବହନ କମିଶନରଙ୍କ ନିକଟରେ ଏନେଇ ସାପ୍ତାହିକ ରିପୋର୍ଟ ଦାଖଲ କରିବେ, ଯାହାକି ମୁଖ୍ୟ ସଚିବଙ୍କୁ ଅବଗତ କରାଯିବ। ଏହାସହିତ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ନିୟମିତ ଭାବେ ଆୟୋଜନ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଦୁଇଚକିଆ ଯାନ ଚାଳକ ଓ ଯାତ୍ରୀଙ୍କ ପାଇଁ ହେଲମେଟ୍ ପିନ୍ଧାକୁ କଡ଼ାକଡ଼ି କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ ଥିବାବେଳେ ରାଜ୍ୟର ଅନ୍ୟ ଭାଗରେ ଏହି ନିୟମ ସେତେଟା କଡ଼ାକଡ଼ି ଭାବେ ପାଳନ ହେଉନି। କିନ୍ତୁ ରାଜ୍ୟ ପରିବହନ ସଚିବଙ୍କ ନିର୍ଦ୍ଦେଶ ପରେ ଆସନ୍ତା ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ଦୁଇଚକିଆ ଯାନ ଚାଳକ ଓ ଯାତ୍ରୀଙ୍କ ପାଇଁ ହେଲମେଟ୍ ପିନ୍ଧା କଡ଼ାକଡ଼ି ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।