ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଯାବତ କେବଳ ୪ଟି ସ୍ଥାନରେ ନଦୀରେ ଘାଇ ହୋଇଛି। ଗତକାଲି ଦୁଇଟି ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି। ଆଜି କୁଶଭଦ୍ରା ନଦୀର ଡାହାଣ ପାଶ୍ୱ ଗଣେଶ୍ୱରପୁର ତେଣ୍ଡିଆକୁଦରେ ଓ ମହାନଦୀର ରାହାମା ବ୍ଲକ ଅନ୍ତର୍ଗତ ତେରମାଣପୁର ଠାରେ ଘାଇ ହୋଇଛି। ଗତକାଲି ସତ୍ୟବାଦୀର ରାଜୁଆ ନଦୀ ଓ ଖୋର୍ଦ୍ଧାର ମକରା ନଦୀରେ ଘାଇ ହୋଇଥିଲା। ଘାଇଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଛି। ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି।
ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ସେ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ପ୍ରବେଶ କରୁଥିବା ବନ୍ୟା ପାଣି ଓ ତଳମୁଣ୍ଡରେ ସୃଷ୍ଟି ହୋଇଥିବା ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ୪ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ବ୍ୟାକ୍ ଓ୍ୱାଟର। ଗତକାଲି ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୫୫୦ ସ୍କୁଲ ପିଲାଙ୍କ ସେମତ ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଠଗଡ଼ରେ ଛେଳି ଚରାଇବାକୁ ଯାଇ ନଦୀ ମଝିରେ ଫସିଯାଇଥିବା ବାପ-ପୁଅଙ୍କୁ ଉଦ୍ଧାର କରାଯାଇଥିଲା।
୨୦୧୧ ମସିହା ପରେ ଛଡ଼ାଯାଇଥିବା ବନ୍ୟା ପାଣି ଠାରୁ ଚଳିତ ବର୍ଷର ବନ୍ୟାରେ ଅଧିକ ବଢ଼ି ପାଣି ନଦୀମାନଙ୍କରେ ଛଡ଼ାଯାଇଛି। ୨୦୧୧ ମସିହା ପରେ ମହାନଦୀରେ ୯ ଲକ୍ଷ କ୍ୟୁସେକ୍ ପାଣି ଛଡ଼ା ଯାଇଥିବା ବେଳେ ଚଳିତ ୧୨ ଲକ୍ଷ କ୍ୟୁସେକ୍ ପାଣି ଛଡ଼ା ଯାଇଥିଲା। ପାଣି ଅଧିକ ଛଡ଼ା ଯାଉଥିବାରୁ ଘଳିଆ ଉପରେ ସତର୍କ ନଜର ରଖି ଆବଶ୍ୟକ ମରାମତି କରିବାକୁ ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ କୁହାଯାଇଛି। ଏଥିରେ ଲୋକମାନେ ସହଯୋଗ କରିବା ସହ ସତର୍କ ନଜର ମଧ୍ୟ ରଖିଛନ୍ତି।
ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡଳିରେ ଆଜି ସକାଳ ପର୍ଯ୍ୟନ୍ତ ୧୨ ଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ଛଡ଼ା ଯାଉଥିଲା। ରାତି ୩ଟା ଭିତରେ ଏହି ପାଣି ଖଲାସ ହୋଇଯିବ ବୋଲି ଆଶା ରହିଥିଲେ। ହେଲେ ଏହି ପାଣି ଖଲାସ ହେବା ନିମନ୍ତେ ୯ ଘଣ୍ଟା ସ୍ଥାନରେ ୧୨ ଘଣ୍ଟା ସମୟ ନେଇଥିଲା। ପୂର୍ବାହ୍ନ ୧୦ଟା ପରେ ମୁଣ୍ଡଳି ଠାରେ ବନ୍ୟା ପାଣିର ସ୍ତର ୧୭ ହଜାର କ୍ୟୁସେକ୍ କମିଛି। ଆଶା ରହିଛି ଆଜି ଅପରହ୍ନ ୨ଟା ପରେ ୨୫ ହଜାର କ୍ୟୁସେକ୍ ପାଣି ଖସିବ। ଏବେ ହୀରାକୁଦରୁ ୬ ଲକ୍ଷ ୭୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ତେଳ ନଦୀର ପାଣି ଗତରାତିରେ ୨ ଲକ୍ଷ କ୍ୟୁସେକ୍ ତଳକୁ ଖସି ଆସିବ ବୋଲି ଆଶା ଥିଲା। ହେଲେ ଏହା ହେଲା ନାହିଁ। ଏହା ବର୍ତ୍ତମାନ ଖସି ୧.୮୫ କ୍ୟୁସେକ୍କୁ ଆସିଛି। ତେବେ ଖଇରାମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ଖଲାସ ହୋଇଯାଇଛି। ତେଣୁ ଆଗକୁ ମହାନଦୀର ପାଣି କମିବ। ୨୪ ଘଣ୍ଟା ପରେ କଟକ ମୁଣ୍ଡଳି ଠାରେ ମଧ୍ୟ ପାଣି ଖସିବ।
ଏହି ବନ୍ୟା ପାଣି ସମୁଦ୍ରରେ ମିଶିବାକୁ ଆଉ ୯ ଘଣ୍ଟା ସମୟ ଲାଗିବ। ତେଣୁ ଆସନ୍ତା ୧୨ ଘଣ୍ଟା ପରେ ଧିରେଧିରେ ବନ୍ୟା ପାଣି କମିଯିବ। ଏହି ସମୟରେ ନଦୀ ବନ୍ଧ ଧଶିବାର ଆଶଙ୍କା ରହିଥିବାରୁ ସମସ୍ତଙ୍କ ସତର୍କ ନଜର ରଖିବାକୁ କୁହାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡା ଇଂଜେକ୍ସନ ଓ ଅନ୍ୟ ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି। ଲୋକଙ୍କ ନିକଟରେ ପାନୀୟଜଳ ଉପଲବ୍ଧ କରିବାକୁ ଜଗତସିଂହପୁର ଓ ପୁରୀରେ ୩ଟି ଲେଖାଏଁ, କେନ୍ଦ୍ରାପଡ଼ା ଓ କଟକରେ ୨ ଲେଖାଏଁ ଭ୍ରାମ୍ୟମାଣ ଆରଓ ପାଣି ପାଉଚ୍ ଯୋଗାଣ ଗାଡ଼ି ମୁତୟନ କରାଯାଇଛି। ଏ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ୟୁନିଟ୍ ଏନ୍ଡ଼ିଆରଏଫ୍ ଟିମ୍ ସହ ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ କରାଯାଇଛି।
ବନ୍ୟା ପରେ ତୁରନ୍ତ କୂଅ ଓ ନଳକୂଅ ସଫେଇ କରିବାକୁ କୁହାଯାଇଛି। ବନ୍ୟା ପୀଡ଼ିତ ଗୋରୁଗାଇଙ୍କୁ ଗୋଖାଦ୍ୟ ଉପଲବ୍ଧ କରିବାକୁ କୁହାଯାଇଛି। ବନ୍ୟା ଅଂଚଳରେ ପାଣି କମିବା ପରେ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯିବ।
ସେହିପରି ସାମ୍ଭାବ୍ୟ ଲଘୁଚାପ ନେଇ ସେ କହିଛନ୍ତି, ବୈତରଣୀରେ ବନ୍ୟା ଆଶଙ୍କା ଥିବାରୁ କେନ୍ଦୁଝର ସମେତ ଭଦ୍ରକ ଓ ଯାଜପୁର ବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଏହି ଅଞ୍ଚଳରେ ବଡ଼ ବନ୍ୟା ଆଶଙ୍କା ନାହିଁ। ଲଘୁଚାପ ପ୍ରଭାବରେ ଏହି ୩ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ଲୋକଙ୍କ ସୁରକ୍ଷା ପାଇଁ କାଇଁଝରୀ ଓ ଦେଓ ଜଳଭଣ୍ଡାରୁ ଆଗୁଆ ଜଳ ନିଷ୍କାସନ ନିମନ୍ତେ କୁହାଯାଇଛି। ସେପଟେ ରେଙ୍ଗାଲି ପାଣି ଖୁବ୍ ତଳେ ଥିବାରୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ନାହିଁ।
ଆଜି ଓ ଆସନ୍ତାକାଲି କେବଳ ତଳିଆ ମହାନଦୀ ଅଞ୍ଚଳରେ ବର୍ଷା ହେବ। ୧୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବ। ତେଣୁ ବର୍ଷା ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ହୀରାକୁଦରୁ ଜଳ ନିଷ୍କାସନ କରିବାକୁ ଯନ୍ତ୍ରୀମାନଙ୍କୁ କୁହାଯାଇଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି।