ଦୋଳ ପରେ ସପ୍ତାହକୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ (ଓଡ଼ିଶା ରିପୋର୍ଟର): ସପ୍ତାହକୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜ୍‌ କରିବା ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ନିର୍ଦ୍ଦିଷ୍ଟ କେଉଁଦିନ ମନ୍ଦିର ବନ୍ଦ ରହିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନି। ଦୋଳ ପୂର୍ଣ୍ଣିମା ପରେ ନିର୍ଦ୍ଦେଶନାମା ଜାରି କରାଯିବ। ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି-“ମେକାପ ଓ ପୁଷ୍ପାଳକ ସେବାୟତଙ୍କୁ ନେଇ ବୈଠକ ବସିଥିଲା। ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ବେଶ କିପରି ଶୃଙ୍ଖଳିତ ଭାବେ ହୋଇପାରିବ, ତାହା ଉପରେ ଆଲୋଚନା ହୋଇଛି। ବେଶ‌ରେ କୌଣସି ଅସୁବିଧା ହେବନି ବୋଲି ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି।”

ମଙ୍ଗଳବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା। ବୈଠକରେ ସାନିଟାଇଜ୍‌ ପାଇଁ ରବିବାର ଶ୍ରୀବନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି କୋଭିଡ୍‌ ସଂକ୍ରମଣ ବଢିବାରେ ଲାଗିଥିବାରୁ ମାସ୍କ ଓ ସାନିଟାଇଜ୍‌ ବାଧ୍ୟତାମୂଳକ କରାଯାଇଥିଲା। ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାଙ୍କୁ ଟିକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କିଷନ୍‌ କୁମାର କହିଛନ୍ତି।

ସେପଟେ ୪୫ ବର୍ଷରୁ ଅଧିକ ସେବାୟତଙ୍କ ସହ ତାଙ୍କ ପରିବାର ମହିଳାମାନଙ୍କର ମଙ୍ଗଳବାରଠାରୁ ଟିକାକରଣ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।

ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ସାନିଟାଇଜ୍‌ ପାଇଁ ସପ୍ତାହକୁ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ରବିବାର ବନ୍ଦ ରଖିବାକୁ ଛତିଶା ନିଯୋଗରେ ପ୍ରସ୍ତାବ ଦେଇଥିବା ବେଳେ ସବୁ ନିଷ୍ପତ୍ତି ପ୍ରଶାସନ ନେବ।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଥର ହର ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବର ମାସରେ ଖୋଲିଲା ଶ୍ରୀମନ୍ଦିର। ତା’ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ। ଏବେ ପୁନର୍ବାର କୋଭିଡ୍‌ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପରେ ପୁଣି ଆରମ୍ଭ ହୋଇପାରେ କଟକଣା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।