ଜୁନ୍ ସୁଦ୍ଧା ୧୦୦ଟି ମିନି ଷ୍ଟାଡିୟମ୍ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କ୍ରୀଡ଼ାର ବିକାଶ  ପାଇଁ ରାଜ୍ୟରେ ନିର୍ମାଣ ହେବ ୨ଶହଟି ମିନି ଷ୍ଟାଡ଼ିୟମ୍। ଏଥିରୁ ଅତିକମରେ ୧୦୦ଟିକୁ ଚଳିତ ବର୍ଷ ଜୁନ୍ ଅବା ଜୁଲାଇ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏକ ସମୀକ୍ଷା ବୈଠକରେ  ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

କ୍ରୀଡ଼ା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ୨୦୧୩-୧୪ରୁ ରାଜ୍ୟରେ ମିନି ଷ୍ଟାଡିୟମ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାରା ରାଜ୍ୟରେ ୨୦୦ଟି ମିନି ଷ୍ଟାଡିୟମ୍ କରିବା ପାଇଁ ଅନୁମତି ଦିଆଯାଇଛି। ପ୍ରତି ଷ୍ଟାଡିୟମ୍ ପାଇଁ ୨୫ ଲକ୍ଷ ଟଙ୍କା ଦିଆଯାଉଛି।  ପ୍ରଥମେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ଏନଆରଇଜିଏସରୁ ୧୦ ଲକ୍ଷ, କ୍ରୀଡ଼ା ବିଭାଗରୁ ୧୦ ଲକ୍ଷ ସହିତ ସାଂସଦ ଓ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲା।  କିନ୍ତୁ ଏନଆରଇଜିଏସରୁ ଅର୍ଥ ଆସିବା ନେଇ ସେତେବେଳେ ଟିକେ ଅନିଶ୍ଚିତତା ଦେଖାଯିବାରୁ ଷ୍ଟାଡିୟମ ନିର୍ମାଣ ପାଇଁ କ୍ରୀଡ଼ା ବିଭାଗ ୨୦ ଲକ୍ଷ ଟଙ୍କା ଦେଉଥିବା ବେଳେ ବାକି ୫ ଲକ୍ଷ ଟଙ୍କା ସାଂସଦ ଓ ବିଧାୟକ ପାଣ୍ଠିରୁ ଆସୁଛି। ସହରାଞ୍ଚଳଗୁଡ଼ିକରେ ଥିବା ଷ୍ଟାଡିୟମଗୁଡ଼ିକର ବି ଉନ୍ନତିକରଣର ଆବଶ୍ୟକତା ରହିଛି।  ତେଣୁ ସହରାଞ୍ଚଳଗୁଡ଼ିକର ପଡ଼ିଆଗୁଡ଼ିକୁ ମିନି ଷ୍ଟାଡିୟମ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଏ ସବୁର ସମୀକ୍ଷା କରିଥିଲେ। ଚଳିତ ଜୁନ୍ ଅବା ଜୁଲାଇ ମାସ ସୁଦ୍ଧା ଅତିକମରେ ୧୦୦ଟି ମିନି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ସରକାର ପଞ୍ଚାୟତଗୁଡ଼ିକରେ ମଧ୍ୟ ଖେଳ ପଡ଼ିଆଗୁଡ଼ିକୁ ବିକଶିତ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଥମେ କେନ୍ଦ୍ର ସରକାରଙ୍କ ପାଇକା ଯୋଜନାରେ ଏଗୁଡ଼ିକୁ ବିକଶିତ କରିବାକୁ ସରକାର ଯୋଜନା ରଖିଥିଲେ। ତେବେ ପାଇକା ଯୋଜନା ବନ୍ଦ ହୋଇଯିବା ପରେ ଏନଆରଇଜିଏସ ଯୋଜନାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା।  ଏବେ ପଞ୍ଚାୟତ ପଡ଼ିଆଗୁଡ଼ିକୁ ବିକଶିତ କରିବା ପାଇଁ କାର୍ଯ୍ୟ ଜାରି ରହିଛି।

ପଞ୍ଚାୟତ ପଡ଼ିଆଗୁଡ଼ିକରେ ଗ୍ୟାଲେରୀ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି ବାଢ଼ି କ୍ରୀଡ଼ା ସଚିବ କହିଛନ୍ତି ଯେ ଗାଁ ପଡ଼ିଆଗୁଡ଼ିକ ବର୍ଷକୁ ପାଞ୍ଚରୁ ଛଅ ଥର  କାର୍ଯ୍ୟକ୍ରମ ହୁଏ ଓ ୫ରୁ ୬ ହଜାର ଲୋକଙ୍କ ସମାଗମ ହୁଏ। ଫଳରେ ବାକି ସମୟଗୁଡ଼ିକ ଗ୍ୟାଲେରୀ ଖାଲି ପଡ଼ିବ। ପୁଣି ଗ୍ୟାଲେରୀ ପାଇଁ ଅଧିକ ଖର୍ଚ୍ଚ କରିବାକୁ ହେବ। ତେଣୁ ପଞ୍ଚାୟତ ପଡ଼ିଆଗୁଡ଼ିକରେ ଗ୍ୟାଲେରୀ ନିର୍ମାଣ କରି ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ପଡ଼ିଆର ଉନ୍ନତିରେ ବ୍ୟୟ କରିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଏ। ତା’ସହିତ ଆଣ୍ଠୁଏ ଉଚ୍ଚର ପାଚେରି କରିବାକୁ କୁହାଯାଏ। ଫଳରେ ଖେଳକୁଦ ହେଲେ ଲୋକେ ସେହି ପାଚେରି ଉପରେ ବସି ଦେଖିପାରିବେ।

ଶାଶ୍ୱତ ମିଶ୍ର କହିଛନ୍ତି, ପଞ୍ଚାୟତ ପଡ଼ିଆର ବିକାଶ ପାଇଁ ଲକ୍ଷେ, ୨ ଲକ୍ଷ ଅବା ୫ ଲକ୍ଷର ସେମିତି କିଛି ନିର୍ଦ୍ଦିଷ୍ଟ ସୀମା ନାହିଁ। ଏନଆରଇଜିଏସ ଯୋଜନାର କାର୍ଯ୍ୟକ୍ରମ ସଂପର୍କରେ ଗ୍ରାମ ପଞ୍ଚାୟତ ସ୍ତରରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥାଏ। ଯେଉଁ ଗ୍ରାମ ପଞ୍ଚାୟତ ଏଥିପାଇଁ ବିଶେଷ ଆଗ୍ରହ ଦେଖାନ୍ତି, ସେମାନେ ପଡ଼ିଆର ବିକାଶ ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ବି ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୪୧ଟି ପଞ୍ଚାୟତରେ ପଡ଼ିଆର ବିକାଶ କରାଯାଇଛି। ଜୁନ୍ ଓ ଜୁଲାଇ ବେଳକୁ ରାଜ୍ୟର ୧୦୦୦ ପଞ୍ଚାୟତ ପଡ଼ିଆର ବିକାଶ କାମ ଶେଷ ହୋଇଯିବ।

ଆଜିର ସମୀକ୍ଷା ବୈଠକରେ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ ଓ କ୍ରୀଡ଼ା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ସେମତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।