ନିଜ ବିରୋଧରେ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଲେ ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଶାସକ ବିଜେଡିର ପ୍ରରୋଚନାରେ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ବିଜେପିର ଅଭିଯୋଗ ପରେ ସିଇଓଙ୍କ କାର୍ଯ୍ୟାଳୟରୁ ଏକ ସ୍ପଷ୍ଟୀକରଣ ଜାରି ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ୩ ତାରିଖରେ କାର୍ଯ୍ୟସୂଚୀ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ କିଭଳି ୬ତାରିଖରେ ୨ଜଣ ବିଡିଓଙ୍କ ବଦଳି କରାଗଲା ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଏବେ ପଂଚାୟତିରାଜ ସଚିବ ଦାୟିତ୍ୱରେ ରହି ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଉପନିର୍ବାଚନକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ନେଇଥିବା ବିଜେପିର ଲିଖିତ ଅଭିଯୋଗ ପରେ ଆଜି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସତ୍ତ୍ୱେ ବିଡିଓଙ୍କ ବଦଳି ଦ୍ୱାରା କୌଣସି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହୋଇନି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ଭାବେ ବିଜେପିର ନାଁ ଉଲ୍ଲେଖ ନକରି କୁହାଯାଇଛି ଯେ, ଏକ ରାଜନୀତିକ ଦଳ ଆଜି ଅଭିଯୋଗ କରିଛି ଯେ, ଧାମନଗର ବିଧାନସଭା ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ସେଠାରେ କାର୍ଯ୍ୟ କରୁଥିବା ୨ଜଣ ବିଡିଓଙ୍କୁ ଦୁର୍ନୀତି ଅଭିଯୋଗରେ ବଦଳି କରାଯାଇଛି । ତେବେ ସିଇଓଙ୍କ ଅଫିସ୍ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କ ବଦଳି ହୋଇଛି । ଶ୍ରୀ ମୁର୍ମୁ ୨୦୧୮ ସେପ୍ଟେମ୍ବର ୫ରୁ ସେଠାରେ କାର୍ଯ୍ୟ କରୁଥିବାବେଳେ ଶ୍ରୀ ସାହୁଙ୍କ ଘର ଧାମନଗର ବିଧାନସଭା ମଣ୍ଡଳୀରେ ଆସୁଛି । ଜିଲ୍ଲାରେ ଏହି ଦୁଇ ଅଫିସରଙ୍କ ଉପସ୍ଥିତି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି । କାରଣ ଉପନିର୍ବାଚନ ପାଇଁ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ସହ ଜଡ଼ିତ କୌଣସି ଅଫିସର ୩ବର୍ଷରୁ ଅଧିକ ସମୟ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ରହିବା ମନା ତଥା ନିଜ ଗୃହ ଜିଲ୍ଲାରେ ବି ରହିପାରିବେ ନାହିଁ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁପାରିଶରେ ସେମାନଙ୍କର ବଦଳି ବଦଳି ଅକ୍ଟୋବର ୬ତାରିଖରେ ହୋଇଛି । ଏହା ଦ୍ୱାରା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହେଉନି ବୋଲି ସିଇଓ ଅଫିସ୍ ସ୍ପଷ୍ଟ କରିଛି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବାଡ଼ ଯଦି ଫସଲ ଖାଇବ ତାହାଲେ କ୍ଷେତକୁ ସୁରକ୍ଷା ଦେବ କିଏ ।ନିର୍ବାଚନ ପ୍ରଚାର ନହେଉଣୁ ରାଜ୍ୟ ସରକାର ଚଂଚକତା ଆରମ୍ଭ କରିଦେଇଛନ୍ତି ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପାଇଁ ସହଯୋଗ ଯୋଗାଇ ଦେଉଛନ୍ତି । ଶାସକ ବିଜେଡିର ପ୍ରରୋଚନାରେ ସାଧାରଣ ଜନତାଙ୍କୁ ଭ୍ରମିତ କରିବାକୁ ଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଦଳି କରାଯାଇଥିବା ୨ ଜଣ ବିଡିଓ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଇଛି ଯାହାକି ସଂପୂର୍ଣ୍ଣ ମିଥ୍ୟା । ଯଦି ୨ ଜଣ ବିଡିଓ ଦୁର୍ନୀତିଗ୍ରସ୍ତ, ତାହେଲେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ ? ଅନ୍ୟପଟେ ବଦଳି ହୋଇଥିବା ତିହିଡି ବିଡିଓ ଯଦି ଦୁର୍ନୀତିଗ୍ରସ୍ତ, ତାହେଲେ ସେହି ବ୍ଲକ ଅଧ୍ୟକ୍ଷା(ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ) କ’ଣ ଦୁର୍ନୀତିମୁକ୍ତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ୯ ତାରିଖରେ ବିଜେପି ତରଫରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏ ସମସ୍ତ ପ୍ରସଙ୍ଗରେ ଅଭିଯୋଗ କରାଯାଇଛି । ଆଜି ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ, ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ଏବଂ ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ପୁଣି ଥରେ ଏନେଇ ଆଲୋଚନା କରିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

ତେବେ ଦୁଇ ବିଡିଓଙ୍କ ବଦଳି ଯଦି ଦୁର୍ନୀତି ଯୋଗୁ ହୋଇଛି ତା’ହେଲେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲାନି ବୋଲି ବିଜେପି ପ୍ରଶ୍ନ କରୁଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସ୍ ଓଲଟା ବିଜେପି ହିଁ ଏହି ଦୁଇ ବିଡିଓ ଦୁର୍ନୀତିଗ୍ରସ୍ତ ବୋଲି କହୁଥିବା ସଫେଇ ଦେଇଛନ୍ତି । ଯାହାକି ପରସ୍ପରର ବିରୋଧାଚରଣ କରୁଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।