ରାଉରକେଲାରେ କଟକଣା କୋହଳ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ

ରାଉରକେଲା (ପବନ ତିୱାରୀ): ଷ୍ଟିଲ୍‌ ସିଟି ରାଉରକେଲା ପ୍ରଦୂଷଣ ମାତ୍ରା ବଢ଼ି ଯାଇଥିଲା। ଗଲା ୭ ଦିନ ହେଲା ସହରବାସୀ କଲବଲ ହେଉଥିଲା। ଅନଣନିଃଶ୍ୱାସୀ ଅନୁଭବ କରୁଥିଲେ। ଯେଉଁଥିପାଇଁ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ପ୍ରଦୂଷଣ ମାତ୍ରା କମିଥିବାରୁ ଏବେ କଟକଣା କୋହଳ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି।

ରାଉରକେଲା ପ୍ରଦୂଷଣ ମାତ୍ରା ବଢ଼ିଯାଇଥିବାରୁ ୮ ତାରିଖରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୨୬ ଥିଲା। ଗତକାଲି ଅର୍ଥାତ ବୁଧବାର ୩୪୨ ରହିଥିଲା। AQIରେ ସୁଧାର ଆସିଥିବାରୁ ବୁଧବାରଠାରୁ ଲାଗିଥିବା କଟକଣା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସହରକୁ ଭାରୀଯାନ ପ୍ରବେଶ କରିପାରିବ। ତେବେ ରାସ୍ତାରେ ଜଳ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ଆପ୍ରୋଚ୍‌ ରୋଡ୍‌ରେ ଜଳ ସିଞ୍ଚନ କରାଯାଇ ରେଲୱେ ଲୋଡିଂ ହୋଇପାରିବ। ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ରାଉରକେଲା ସହରକୁ ପଶୁଥିବା ସବୁ ମାଲଗାଡ଼ି ଡାଲାରେ ପାଲ ଘୋଡ଼ାଯିବ। ଗହଳି ଥିବା ରାସ୍ତା ଓ ନିର୍ମାଣ ସ୍ଥଳରେ ପର୍ଯ୍ୟପ୍ତ ଜଳ ସିଞ୍ଚନ କରାଯିବ। ସ୍କୁଲ ଚାଲିପାରିବ। ମାତ୍ର କ୍ରୀଡ଼ା ପ୍ରତିଯୋଗିତା ନକରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶ ଦେଇଛି। ସ୍ଥିତି ନସୁଧୁରିବା ଯାଏ ପ୍ରଦୂଷଣକାରୀ ଶିଳ୍ପ ପ୍ରତି କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଉରକେଲା ପ୍ରଦୂଷଣ ମାତ୍ରା ବଢ଼ି ଯାଇଥିବାରୁ ୧୦୦ ମିଟର ଦୂରତାରେ କିଛି ଦେଖାଯାଉନଥିଲା। ଯାହାଫଳରେ ସକାଳେ ବାଇକ୍‌ ଆରୋହୀ ଓ ଚାରି ଚକିଆ ଗାଡ଼ି ଗୁଡ଼ିକ ଲାଇଟ୍‌ ଜଳାଇ ଯାଉଥିବା ଦେଖିବାକୁ ମିଳୁଛି। ଏହାର ପ୍ରଭାବ ଛେଣ୍ଡ କଲୋନୀଠାରୁ ଝିରପାଣି, କୋଏଲ ନଗରଠାରୁ ବନ୍ଧମୁଣ୍ଡା, ବିର୍ଷାମୁଣ୍ଡା ଛକଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି। ଲୋକେ ନା ଘରେ ରହିପାରୁଥିଲେ ନା ବାହାରେ ବୁଲି ପାରୁଥିଲେ। ଗତ କିଛି ବର୍ଷ ମଧ୍ୟରେ ଏମିତି ପରିସ୍ଥିତି କେବେ ହୋଇ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।