୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୩ ବର୍ଷର କୁନି ଝିଅକୁ ଝୁଣି ପକାଇଲା ପାଗଳ କୁକୁର। ଫଳରେ ତା’ର ମୃତ୍ୟୁ ଘଟିଛି। ପାଗଳ କୁକୁର କାମୁଡ଼ାରେ ୧୨ରୁ ଅଧିକ ଲୋକ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି।

ପାଟଣାଗଡ଼ ବ୍ଲକ୍‌ ବାଲିପଟା ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅ ଦୀପା ମୁଣ୍ଡା। ହଠାତ ସେଠାରେ ପହଞ୍ଚିଥିଲା ଗୋଟିଏ ପାଗଳ କୁକୁର। ଦୀପାକୁ ପାଇ ଝୁଣି ପକାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ କୁକୁର ପାଟିରୁ ରକ୍ତାକ୍ତ ଅବସ୍ଥାରେ ଦୀପାକୁ ଉଦ୍ଧାର କରିଥିଲେ। ପରେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପାଗଳ କୁକୁରଟି କେବଳ ଦୀପାକୁ କାମୁଡ଼ି ନାହିଁ। ଗାଁର ୧୨ ଜଣରୁ ଅଧିକ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କୁକୁରଟି କାମୁଡ଼ି ଥିଲା। କୁକୁର କାମୁଡାରେ ଆହତ ହୋଇଥିବା କିଛି ଲୋକ ମେଡ଼ିକାଲ୍‌ ଯାଇ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପାଗଳ କୁକୁରକୁ ଗାଁ ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।