ହୃଦୟ ଭାଙ୍ଗିଯିବା ପରେ…

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ହୃଦୟ ଦେଇ ଭଲ ପାଉଥିଲେ। ନିଜ ଜୀବନଠାରୁ ପ୍ରେମିକାଙ୍କୁ ଅଧିକ ପ୍ରେମ କରୁଥିଲେ। ହେଲେ ଉଭୟଙ୍କ ସମ୍ପର୍କରେ କଣ୍ଟା ସାଜିଥିଲେ ପ୍ରେମିକାଙ୍କ ଭିଣୋଇ। ଆଉ ଶେଷରେ ହତୋତ୍ସାହିତ ହୋଇ ଆଜି ପ୍ରେମିକ ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଥିବା ତେଲନଦୀ ପୋଲରେ ଆଜି ଏମିତି ଏକ ଅଘଟଣ ଘଟିଛି । ଗତ କିଛି ଦିନ ତଳେ ଉକ୍ତ  ବ୍ରୀଜରୁ ଡେଇଁ ଗୁଡଭେଲାର ଦୁଇ ଭଉଣୀ ଆତ୍ମହତ୍ୟା କରିଥିଲେ । ଆଜି ସେହି ସ୍ଥାନରେ ସମାନ ଢଙ୍ଗରେ ନଦୀକୁ ଡେଇଁ ଜଣେ ଭିନ୍ନକ୍ଷମ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗାଁର ସନ୍ତୋଷ ମିଶ୍ର ବୋଲି ଜଣା ପଡିଛି । ସନ୍ତୋଷ ବାଇକରେ ଗାଁରୁ ଆସି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନଦୀରେ ଗାଧୋଉଥିବା ଲୋକେ ସଂଗେ ସଂଗେ ସନ୍ତୋଷଙ୍କୁ ଉଦ୍ଧାର କରିଥିଲେ । ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଥିଲେ ସନ୍ତୋଷ।

ଯୁବକ ଜଣକ ବେକରେ ପ୍ରେମିକା ଏଵଂ ନିଜର ଫଟୋଫ୍ରେମକୁକୁ ଫିତାରେ ଝୁଲାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରେମିକାଙ୍କ ଭିଣୋଇ ଯୁବକଙ୍କୁ ହତ୍ୟା ଧମକ ଦେଇ ପ୍ରେମରେ ବାଧା ଦେଵାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ତୁଷୁରା ପୁଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ ଉଦ୍ଧାର ପରେ ତୁଷୁରା ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥବସ୍ଥା ଠିକ ଥିବା ଜଣା ପଡିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।