ସୁନୀଲ ମିଶ୍ର ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ସୁନୀଲ ମିଶ୍ର ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରୁ ଏହି ସୂଚନା ମିଳିଛି।

ବୈଠକରେ ସୁନୀଲଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜୟ ପଣ୍ଡାଙ୍କ ନାଁ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ।

ବୈଠକ ପରେ ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି,“ଏହି ପଦ ପାଇଁ ୩ ଜଣଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ୩ଜଣ ଯାକ ଏହି ପଦବୀ ପାଇଁ ଯୋଗ୍ୟ। ସରକାର ଯାହା କିଛି ନିଷ୍ପତ୍ତି ନେବେ।”

ସୁନୀଲ ମିଶ୍ର ହେଉଛନ୍ତି ଇନ୍‌କମ୍‌ ଟ୍ୟାକ୍ସର ପୂର୍ବତନ ପ୍ରିନ୍ସପାଲ ଚିଫ୍‌ କମିଶନର। ନିକଟରେ ସେ ଅବସର ନେଇଛନ୍ତି।

ତରୁଣକାନ୍ତି ମିଶ୍ରଙ୍କ ଅବସର ପରେ ମୁଖ୍ୟ ସୂଚନା କମିଶନର ପଦବୀ ଖାଲି ପଡିଛି।