କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବନକାବିଅର ଗାଁ ନିକଟରେ ଥିବା କପା କିଆରିରୁ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁରେଶ ଚନ୍ଦ୍ର ସାହୁ। ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ମୃତଦେହ ପାଖରେ ତାଙ୍କ ବାଇକ୍‌ ପଡ଼ିଛି। କନିଷ୍ଠ ଯନ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

କନିଷ୍ଠ  ଯନ୍ତ୍ରୀ ଚାରୋଟି ପଞ୍ଚାୟତ ଦାୟିତ୍ୱରେ ଥିଲେ। ଗତକାଲି  ଫିଲ୍ଡ ଭିଜିଟ୍ ପାଇଁ ଯାଇ ସେ ଆଉ ଫେରି ନଥିଲେ।  କପା କିଆରିରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଆଜି ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଫିଲ୍ଡ ଭିଜିଟ୍ ପାଇଁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। କନିଷ୍ଠ ଯନ୍ତ୍ରୀଙ୍କ ପରିବାର ଲୋକେ ପହଞ୍ଚି ନାହାନ୍ତି ଓ ପୁଲିସ ସେମାନଙ୍କୁ ଖବର ଦେଇଥିବା ଜଣାଯାଇଛି।

ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ବଲଙ୍ଗିର ଏସ୍‌ପି କହିଛନ୍ତି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।