ନାମାଙ୍କନ ଦାଖଲ କଲେ ସୂର୍ଯ୍ୟବଂଶୀ ସୂରଜ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ଧାମନଗର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି।  ଆଜି ସେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ତୁଙ୍ଗ ନେତାଙ୍କ ସମେତ ତାଙ୍କ ଭଉଣୀ ବି ପାଖେପାଖେ ଉପସ୍ଥିତ ଥିଲେ।

ନାମାଙ୍କନ ପୂର୍ବରୁ ସୂର୍ଯ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ନିଜ ବାପା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ।

ସୂର୍ଯ୍ୟବଂଶୀଙ୍କ ମା ଉର୍ମିଳା ପାଣିଗ୍ରାହୀ’ କହିଛନ୍ତି, ନିର୍ବାଚନ ମଣ୍ଡଳୀ ପାଇଁ ସେ ପୂରା ନୂଆ ନୁହେଁ । ସେ ପ୍ରାୟ ୧୦ ବର୍ଷ ହେବ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କାମ କରୁଥିଲା। ବାପାଙ୍କ ଆଦର୍ଶ, ନୀତିକୁ ନେଇ କାମ କରୁଥିଲା। ତା’ ଉପରେ ପାହାଡ଼ ପରି ଦାୟିତ୍ୱର ବୋଝ ଅଛି। ଲୋକଙ୍କ ନିକଟରେ ପହଞ୍ଚିବାକୁ ସେ ପ୍ରୟାସ କରିବ ।

pic
ନିଜ ମା’ ଭଉଣୀଙ୍କ ସହ ସୂର୍ଯ୍ୟବଂଶୀ ସୂରଜ ।

ସୂରଜ ନାମାଙ୍କନ ଦାଖଲ କରିବା ବେଳେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ସମେତ ଦଳର ତୁଙ୍ଗ ନେତା ଉପସ୍ଥିତ ଥିଲେ।

ବାପାଙ୍କ ପରି ନିଜ ଅଞ୍ଚଳବାସୀଙ୍କ ପାଇଁ କାମ କରିବା ସହ ସେମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।