ଛୁଟିଦିନରେ ଅଫିସ୍‌ ଖୋଲିବାରୁ ତହସିଲଦାରଙ୍କୁ ତାଲା ପକାଇଲେ ଲୋକେ

କେନ୍ଦ୍ରାପଡ଼ା(ବନମାଳି ସାହୁ): ଛୁଟି ଦିନରେ ଅଫିସ ଆସି କାମ କରିବାରୁ ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଛି। ତହସିଲଦାର କୌଣସି ଅନିୟମିତତା କାମ କରିବାକୁ  ଛୁଟି ଦିନରେ ଆସିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତାଲା ପକାଇ ଦେଇଥିଲେ। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲଦାରଙ୍କ ଅଫିସରେ।

ଅଭିଯୋଗ ଅନୁସାରେ, ସରକାରୀ କାର୍ଯ୍ୟସୂଚୀ ଅନୁସାରେ ଗତକାଲି ଛୁଟି ଥିଲା। ତେବେ ଛୁଟି ସତ୍ତ୍ୱେ ରାଜକନିକା ତହସିଲଦାର ପ୍ରଦ୍ୟୁସ କୁମାର ମହାନ୍ତି କାଲି ଅଫିସ ଆସିଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସହ ଅଫିସରେ କାମ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଉତ୍ୟକ୍ତ ଲୋକେ ତହସିଲ ଅଫିସ ଆସି ତାଲା ପକାଇ ଦେଇଥିଲେ।

ରାଜକନିକା ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରି ତାଲା ଖୋଲିଥିଲା। ମାଜିଷ୍ଟେଟ ଡ୍ୟୁଟିରେ ଥିବାରୁ ଛୁଟି ଦିନ ହୋଇଥିଲେ ବି ଅଫିସ୍ ଆସିଥିଲି ବୋଲି ତହସିଲଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।