ରାଜଧାନୀରେ ଚିତ୍କାର କରୁଛନ୍ତି ଶିକ୍ଷକ, କୁଆଡ଼େ ଗଲେ ସମୀର ଦାଶ ମହୋଦୟ?

Teachers Protest

Teachers Protest

Tapaswini Nayak
  • Published: Monday, 28 November 2022
  • Updated: 28 November 2022, 05:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭୁବନେଶ୍ୱର ଆଜି ଶିକ୍ଷକମୟ। ହେଲେ ଏହି ପରିସ୍ଥିତିରେ ଶିକ୍ଷା ମନ୍ତ୍ରୀ ସମୀର ଦାଶ ମହୋଦୟ ଗଲେ କୁଆଡ଼େ?’ ଆଜି ଏପରି ପ୍ରଶ୍ନ ପଚାରି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ।

୨ ଲକ୍ଷ ଶିକ୍ଷକ ନିଜର ଦାବି ନେଇ ଲୋୟର ପିଏମଜିରେ ଚିତ୍କାର କରୁଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। କାହାଠାରୁ ଅନୁମତି ନେଇ ସେ ପଦ୍ମପୁର ଗଲେ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି,  ଶିକ୍ଷକମାନଙ୍କର ଠିକା ନିଯୁକ୍ତିର ଯୁଗ ସରିଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯଦି ଠିକା ନିଯୁକ୍ତିର ଯୁଗ ସରିଯାଇଛି, ତା’ହେଲେ  ରାଜଧାନୀରେ ୨ ଲକ୍ଷ ଶିକ୍ଷକ କାହିଁକି ଧାରଣା ଦେଇଛନ୍ତି? ଆଜି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରଙ୍କ ଚିନ୍ତା ନାହିଁ କି ଦରଦ ନାହିଁ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ୨ଦିନ ହେବ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ହେଲେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପାଇଁ ଶିକ୍ଷା ମନ୍ତ୍ରୀ ନାହାନ୍ତି କି ଶିକ୍ଷା ବିଭାଗର କୌଣସି ଅଧିକାରୀ ନାହାନ୍ତି। ସେହିପରି ବିଧାସଭାରେ ବି କୌଣସି ମନ୍ତ୍ରୀ ନାହାନ୍ତି, ଯେଉଁମାନେ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ?

ଯଦି ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ କାନ୍ଦୁଛନ୍ତି, ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ରାତିରେ ଶୋଉଛନ୍ତି, ତା’ହେଲେ ଏହି ଗୃହ କ’ଣ ପାଇଁ ଅଛି? ଏପରି ପରିସ୍ଥିତିରେ ଦେଖିଲେ ଲାଗୁଛି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଶିକ୍ଷକଙ୍କ ଦାବି ପୂରଣ କରିବାକୁ ବିଧାନସଭାରେ କଂଗ୍ରେସ ଦଳ ଦାବି କରିଛି ବୋଲି କହିଛନ୍ତି ଶ୍ରୀ ବାହିନୀପତି।

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଆଜି ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ଓ ବିଜେପି ସଦସ୍ୟମାନେ। ତେଣୁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ। ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବୈଠକ ପରେ ଶିକ୍ଷକ ଆନ୍ଦୋଳନକୁ ନେଇ ଗୃହରେ ରୁଲିଂ ଦେଇଥିଲେ ବାଚସ୍ପତି। ସରକାର ଶିକ୍ଷକ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories