ଏହି ସବୁ ଜିଲ୍ଲାଗୁଡ଼ିକୁ ହିଟୱେଭ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାର ଖବର ଶୁଣି ଆଶ୍ୱସ୍ତ ଅନୁଭବ କରିଥିଲେ ଲୋକେ। ମୌସୁମୀ ଆସିଲା, ହେଲେ ବର୍ଷାର କିନ୍ତୁ ଦେଖାଦର୍ଶନ ନାହିଁ। ରଜରେ ବି ଗରମ ଆଉ ଗୁଳୁଗୁଳିରେ ଛଟପଟ ଜନଜୀବନ।

ଆଭ୍ୟନ୍ତରୀଣ ୫ଟି ଜିଲ୍ଲା ଓ ଉପକୂଳର ୪ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ  ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଉପକୂଳର ଏହି ଅଞ୍ଚଳ ଗୁଡ଼ିକ  ହେଲା ଖୋର୍ଦ୍ଧା, କଟକ, ଚାନ୍ଦବାଲି ଓ ବାଲେଶ୍ୱର। ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକ ହେଲା ଅନୁଗୋଳ, ଟିଟିଲାଗଡ଼, ଭବାନୀପାଟଣା, ବାରିପଦା ଓ ବଲାଙ୍ଗିର।

ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ୪୦ ଡିଗ୍ରୀର ତାତିରେ ଭୁବନେଶ୍ୱର, କଟକ ବାସିନ୍ଦା ବି ଭାଜି ହୋଇଥିଲେ। ଆଜି ବି ସମାନ ତାତି ଅନୁଭୂତ ହେଉଛି।  ଜୁଆଡେ ଦେଖିଲେ ଟାଇଁ ଟାଇଁ ଖରା।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବା ଯୋଗୁଁ ଏବେ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।  ଆସନ୍ତା ସପ୍ତାହେ ଯାଏଁ ଏଭଳି ପାଗରୁ ତ୍ରାହି ମିଳିବା ଆଶା କମ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।