ପୁଲିସ୍-ବିସ୍ଥାପିତ ମୁହାଁମୁହିଁ; ଢେଲା ମାଡ଼ କରି ୫୪ ଗିରଫ
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଚଳାଇଛି ପୁଲିସ୍। ଏପରିକି ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୁଲିସ୍।
ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି।
ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ।
ଏହାପରେ ପୁଣି ଥରେ ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍ ଗାଡ଼ି ସହ ୨ଟି ପୁଲିସ୍ ବସ୍ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଏସ୍ପି, ତହସିଲଦାର ଓ ଏସଡିପିଓ ପ୍ରମୁଖ ଉପସ୍ଥିତ ଅଛନ୍ତି।
ଜିଲ୍ଲାପାଳ କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ନାଲକୋରେ ନିଯୁକ୍ତି ଦାବି କରି ସେମାନେ ଏହି ଆନ୍ଦୋଳନ କରିଥିଲେ। ଉଭୟ ନାଲୋକ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମିଶି ଏହି ଘଟଣାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ନିମନ୍ତେ କୁହାଯାଇଛି।
ଅନ୍ୟପକ୍ଷରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ଏହା ସହିତ ଗିରଫ କରାଯାଇଥିବା ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ପୁଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।