୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ବନ୍ଦ ହେଲା କଲେଜ

କଟକ (ଓଡ଼ିଶା ରିପୋର୍ଟର): କଟକର ଏକ ଘରୋଇ କଲେଜରୁ ୧୨ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। ଉଭୟ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ଏଥିସହ କଲେଜର ଅଧ୍ୟାପକଙ୍କ ଟେଷ୍ଟ ସହିତ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ।

ଅନ୍ୟ ଜିଲ୍ଲାର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଆଜି କଲେଜର ୩୦ରୁ ୪୦ ପିଲାଙ୍କଠାରୁ ନମୁନା ସଂଗ୍ରହ କରାଯିବ। ଗାଇଡଲାଇନ ଅନୁସାରେ ଚିହ୍ନଟ ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି CMCର ସ୍ୱାସ୍ଥ୍ୟ ଅଧତ୍କାରୀ ସତ୍ୟବ୍ରତ ମହାପାତ୍ର  ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ,  ଦେଶରେ କରୋନା ସଂକ୍ରମଣ ପୁଣି ରେକର୍ଡ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩୫ହଜାର ୮୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଗତ ୩ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ କରୋନା ପଜିଟିଭ୍ । କେବଳ ମହାରାଷ୍ଟ୍ରରୁ ହିଁ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ସ୍ଥିତି ଅଧିକ ଚିନ୍ତା ବଢ଼ାଇଛି । ଏଯାବତ୍ ଦେଶରେ ୧କୋଟି ୧୪ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ୮ ଦିନ ଧରି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ରହୁଥିବା ବେଳେ ଆଜି ଏହି ସଂଖ୍ୟା ୩୫ ହଜାର ପାର ହୋଇଛି । ଗତ ୨୪ ଘଣ୍ଟାରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି  ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।