ରାଜ୍ୟରେ ୧୯୪୩ଜଣ ଲୋକଙ୍କୁ ଜଣେ ଡାକ୍ତର, ଜାତୀୟ ହାରଠୁ ବହୁ ପଛରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସ୍ୱାସ୍ଥ୍ୟସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ଓ କେନ୍ଦ୍ରୀୟ ଚିକିତ୍ସାବୀମା ଯୋଜନାକୁ ରାଜ୍ୟରେ କାର୍ଯ୍ୟ କରାଉନଥିବା ଓଡ଼ିଶା ସରକାର ଏବେବି ଡାକ୍ତରଙ୍କୁ ନିଯୁକ୍ତି ଦେବା ତୁଳନାରେ ଜାତୀୟ ହାରଠୁ ବହୁ ପଛରେ ଅଛନ୍ତି। ଓଡ଼ିଶାରେ ପ୍ରତି ୧୯୩୬ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଉପଲବ୍ଧ ଥିବାବେଳେ ସର୍ବଭାରତୀୟସ୍ତରରେ ପ୍ରତି ୧୧୬୧ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ବିଧାୟକ ମହିଧର ରଣା ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି।
ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟର ୮ଟି ସରକାରୀ ମେଡିକାଲ କଲେଜ ଓ ଏସସିବି ଡେଣ୍ଟାଲ କଲେଜରେ ମୋଟ ୧୩୮୧ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଣ୍ଟାଣ୍ଟ ପ୍ରଫେସର ପଦବୀ ମଧ୍ୟରୁ ୨୨୭ଟି ଖାଲି ପଡ଼ିଛି। ଏମସିଆଇ ମାନଦଣ୍ଡ ଅନୁସାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ଡିପିସି,ନିୟମିତ ନିଯୁକ୍ତି, ଠିକା ଓ ଡେପୁଟେସନ ପୋଷ୍ଟିଂ ମାଧ୍ୟମରେ ପୂରଣ କରାଯିବ।

ସେହିପରି ଡାକ୍ତରଙ୍କ ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଲେଖାଏଁ ଡାକ୍ତର ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୦୮ଜଣ ଲେଖାଏ ଡାକ୍ତର କାର୍ଯ୍ୟ କରିବା ପାଇଁ ପ୍ରାବଧାନ ରହିଛି। ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ଅନୁସାରେ ରାଜ୍ୟରେ ଲୋକ ସଂଖ୍ୟା ଅନୁସାରେ ୬୩୧୫ଜଣ ଏଲୋପ୍ୟାଥିକ ଡାକ୍ତର ଆବଶ୍ୟକ ହେଉଥିବାବେଳେ ରାଜ୍ୟରେ ଏବେ ବିଭିନ୍ନ ବର୍ଗର ୮୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏବେ ୭୦୨୪ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ତେବେ ଆନ୍ଧ୍ରପ୍ରଦେଶରେ ପ୍ରତି ୫୨୦ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାବେଳେ ଆସାମରେ ୧୪୪୯ଜଣ, ଗୁଜୁରାଟରେ ୧୦୨୨ଜଣ, ପଶ୍ଚିମବଙ୍ଗରେ ୧୩୫୦ଜଣଙ୍କ ନିମନ୍ତେ ଜଣେ ଲେଖାଏଁ ଡାକ୍ତର ରହିଛନ୍ତି। ଅବଶ୍ୟ ଉତ୍ତରପ୍ରଦେଶରେ ପ୍ରତି ୨୯୨୩ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାବେଳେ ଛତିଶଗଡ଼ରେ ୩୩୦୦ଜଣ, ଝାଡ଼ଖଣ୍ଡରେ ୬୫୪୩ଜଣ ଓ ତେଲେଙ୍ଗାନାରେ ୭୫୫୬ଜଣଙ୍କ ପାଇଁ ଜଣେ ଲେଖାଏଁ ଡାକ୍ତର ଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।