ଚୁକ୍ତିଭିତ୍ତିକ ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଅଦାଲତ ଅବମାନନା ମାମଲା: ହାଇକୋର୍ଟରେ ସରକାରଙ୍କ ସାନି ସତ୍ୟପାଠ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟରେ ସରକାର ସାନି ସତ୍ୟପାଠ ଦାଖଲ କରିଛନ୍ତି। ଗଣଶିକ୍ଷା ସଚିବ ରଞ୍ଜନ ଚୋପ୍ରା ଦାଖଲ କରିଥିବା ଏହି ସତ୍ୟପାଠରେ ଦର୍ଶାଯାଇଛି, ଗତ ୨୦ ତାରିଖରେ ଅଦାଲତକୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ୨୦୧୫ ଜୁନ୍ ୧୧ ତାରିଖ କିମ୍ୱା ତା ପରେ ଦିଆଯାଇଥିବା ସମସ୍ତ ଠିକା ଶିକ୍ଷକଙ୍କ ନିଯୁକ୍ତିକୁ ସରକାର ବାତିଲ୍ କରିଛନ୍ତି। ୩୦ଟି ଜିଲ୍ଲାରେ ମୋଟ ୩ ହଜାର ୫୦୧ ଜଣ ଠିକା ଶିକ୍ଷକଙ୍କ ନିଯୁକ୍ତି ବାତିଲ କରାଯାଇଛି। ଏହି କମ୍ପ୍ଲାୟନସ ରିପୋର୍ଟ ସହ ଗଣଶିକ୍ଷା ସଚିବ ନିସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରିବାକୁ ସତ୍ୟପାଠରେ ପ୍ରାର୍ଥନା କରିଛନ୍ତି। ଆସନ୍ତା ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅପରପକ୍ଷରେ ଏହି ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ମିସ୍ କେସ୍ ଦାୟର କରି ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ଠିକା ଶିକ୍ଷକମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଆବେଦନ କରିଛନ୍ତି।