ହାଇଦର ଫେରାର ହେବା ଘଟଣାରେ ଆଉ ୩ ଗିରଫ

କଟକ: (ଓଡ଼ିଶା ରିପୋର୍ଟର): ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି। ଜଣେ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରିଛି  ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର ହେବାରେ ସହଯୋଗ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ।

ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।  କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଥିଲା।  ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ସେପଟେ  ଗିରଫ ହାଇଦରକୁ କରୋନା ହେବା ଜଣାପଡ଼ିବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ପୂର୍ବରୁ କୋର୍ଟଙ୍କ ଅନୁମତି ଅନୁୟାୟୀ ମଙ୍ଗଳବାବାଗ ପୁଲିସ ଆଜିଠୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା। କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁ ରିମାଣ୍ଡକୁ ସ୍ଥଗିତ ରଖିଛି ପୁଲିସ।

ଅନ୍ୟପଟେ ହାଇଦର ଲିଙ୍କରେ ଥିବା ୩ ଯୁବତୀଙ୍କୁ ମାରାଥନ ଜେରା କରି ଥିଲା ପୁଲିସ। ଏହି ଯୁବତୀ ମାନେ ହାଇଦର ସହ ଫୋନରେ କଥା ହେଉଥିଲେ । ଏମାନଙ୍କ ଫୋନ ଟ୍ରାକିଂ ବେଳେ ଜଣାପଡ଼ିଥିଲା ହାଇଦରର ଲୋକେସନ୍।  ଏବେ ସୁଦ୍ଧା ହାଇଦର ଫେରାର ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।