କାହ୍ନାକୁ ଫେରି ଯାଉଛି ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହ୍ନା ଅଭାୟାରଣ୍ୟକୁ ଫେରି ଯାଉଛି ବାଘୁଣୀ ସୁନ୍ଦରୀ। ପ୍ରାୟ ୩ ବର୍ଷର ରହଣି ପରେ ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରୁ ଆଜି ସୁନ୍ଦରୀ ମଧ୍ୟପ୍ରଦେଶ କାହ୍ନା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। କାହ୍ନା ଅଭୟାରଣ୍ୟରୁ ଆସିଥିବା ବନ ବିଭାଗ କର୍ମଚାରୀ ଓ ସାତକୋଶିଆ ବନଖଣ୍ଡ କର୍ମଚାରୀମାନେ ମିଳିତ ଭାବେ ଯନ୍ତା ବସାଇ ସୁନ୍ଦରୀକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସୁନ୍ଦରୀ ଯନ୍ତାକୁ ଆସିନଥିଲା। ଶେଷରେ ଟ୍ରାଙ୍କୁଲାଇଜ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା।

ବନ ବିଭାଗ କର୍ମଚାରୀ ଓ ସାତକୋଶିଆ ବନଖଣ୍ଡ କର୍ମଚାରୀମାନେ ମିଳିତ ଭାବେ ଆଜି ଅପରାହ୍ନରେ ସୁନ୍ଦରୀକୁ ଟ୍ରାଙ୍କୁଲାଜ କରି କାବୁ କରିଥିଲେ। ପରେ ସ୍ୱତନ୍ତ୍ର ଗାଡ଼ିରେ ତାକୁ କାହ୍ନା ଅଭିମୁଖେ ଯାତ୍ରା ନେଉଛନ୍ତି। କାହ୍ନା ଅଭୟାରଣ୍ୟର ଘୋରେଲାରେ ସୁନ୍ଦରୀକୁ ରଖାଯିବ। ସେଠାରେ ସୁନ୍ଦରୀର ଜଙ୍ଗଲୀ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ସୁନ୍ଦରୀର ପ୍ରବୃତ୍ତିରେ ପରିବର୍ତ୍ତନ ହେଲେ, ପୁଣି ତାକୁ ସାତକୋଶିଆ ଅଣାଯିବ ନା ଆଉ କେଉଁଠିକୁ ନିଆଯିବ, ସେ ନିଷ୍ପତ୍ତି ଏନ୍‌ଟିସିଏ, ଡବ୍ଲୁଆଇଆଇ ଓ ବନ ବିଭାଗ ନେବ।

ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆସିଥିଲା ସୁନ୍ଦରୀ। ମାତ୍ର ସୁନ୍ଦରୀ ଅଭୟାରଣ୍ୟର କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲିଲା। ଆଉ ସମୟ ଦେଖି ଶିକାର କରୁଥିଲା। ଯାହାକୁ ନେଇ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଗାଁ ଲୋକଙ୍କ ବିରୋଧ ଯୋଗୁ ବନ ବିଭାଗ ସୁନ୍ଦରୀକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ମାତ୍ର ସୁନ୍ଦରୀ ଧରା ଦେଇନଥିଲା। ଶେଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ଧରିଥିଲା ବନ ବିଭାଗ। ତା’ପରଠାରୁ ସୁନ୍ଦରୀ ରାଇଗୁଡ଼ା ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ କାଟୁଛି। ଯାହାଫଳରେ ସେ ଶିକାର ପ୍ରବୃତ୍ତି ଭୁଲି ଯାଇଥିବା ଅଭିଯୋଗ ହେଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୁନ୍ଦରୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ବନ ବିଭାଗ ଚିଠି କରିଥିଲା। ଏହା ପରେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।