ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ


ପୁରୀ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ। ଏପଟେ କାଲି ରଥଖଳାରେ ୩ଟି ଅଖରେ ୨ଟି ଲେଖାଁଏ ଚକ ସଂଯୋଗ କରାଯିବାର ବିଧି ରହିଛି। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶ୍ରୀକ୍ଷେତ୍ର ବାହାର ଚନ୍ଦନଯାତ୍ରାର କାଲି ହେଉଛି ଶେଷ ଦିନ। ଚନ୍ଦନ ପୁଷ୍କରିଣୀରେ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ପାଣ୍ଡବ ରୀତିନୀତି ଅନୁଯାୟୀ ରାତି ଚାପରେ ୨୧ ଘେରା ନୌବିହାର କରିବେ। ଏହାପୂର୍ବରୁ ଦିନ ଚାପରେ ଜଳକ୍ରୀଡା, ବେଶ ଓ ଭୋଗ ନୀତି କରାଯିବ।

ଅନ୍ୟପଟେ କାଲି ପରମ୍ପରା ଅନୁଯାୟୀ, ତିନି ରଥର ଚକଡେରା ନୀତି ସମ୍ପର୍ଣ୍ଣ ହେବ। ଘଣ୍ଟଘଣ୍ଟା ସହ ପାଟପଟୁଆରରେ ତିନି ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପହଞ୍ଚିବେ ଶ୍ରୀନଅର ସମ୍ମୁଖ ରଥଖଳାରେ। ରଥଖଳାରେ ରଥ ଦଣ୍ଡାୟମାନ ସ୍ଥାନରେ ୩ଟି ଅଖରେ ୨ଟି ଲେଖାଁଏ ଚକ ସଂଯୋଗ କରାଯିବା ସହ ରଥ ନିର୍ମାଣର ପ୍ରଥମ ହରିବୋଲ ପଡିବ। ଏଥିପାଇଁ ରଥଖଳାରେ ଚକ ପ୍ରସ୍ତୁତି ସରିଛି।