ଗୋ’ ମାଂସ ସନ୍ଦେହରେ ମାଂସ ବୋଝେଇ ଟ୍ରକ୍‌ ଜାଳିଦେଲେ

ବ୍ରହ୍ମପୁର: ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ମାଂସ ବୋଝେଇ ଟ୍ରକ୍‌ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରଣ୍ଢା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ମାଂସ ବୋଝେଇ ହୋଇଥିବା ଦେଖିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗୋ’ ମାଂସ ସନ୍ଦେହ କରି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର କିଏ ଟ୍ରକ୍‌ରେ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇନି। ତେବେ ଏହି ନିଆଁ ବଜରଙ୍ଗ ଦଳ, ଆର୍‌ଏସ୍‌ଏସ୍‌ ଓ ବିଜେପି କର୍ମୀମାନେ ଲଗାଇଥିବା ଅଭିଯୋଗ ହେଉଛି।