୨୦ ବର୍ଷରେ ବସିଛି ୨୪ଟି କମିଶନ, ଖର୍ଚ୍ଚ ହୋଇଛି ପ୍ରାୟ ୧୩ କୋଟି ୧୫ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କ ନ୍ୟାୟ ଦେବା ପାଇଁ ବସିଥାଏ କମିଶନ। ବିଜେଡି ଅମଳରେ ୨୦ ବର୍ଷରେ ବସିଛି ୨୪ଟି ତଦନ୍ତ କମିଶନ। ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ଅନୁସାରେ କମିଶନ ବାବଦକୁ ଖର୍ଚ୍ଚ ହୋଇଛି ପ୍ରାୟ ୧୩ କୋଟି ୧୫ ଲକ୍ଷ ଟଙ୍କା।

ବିଡ଼ମ୍ବନାର ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ୩ଟି କମିଶନକୁ ଅଧାରୁ ବନ୍ଦ କରିଦିଆଯାଇଛି। ୮ଟି ମାମଲା ଏବେ ବିଭିନ୍ନ କମିଶନଙ୍କ ନିକଟରେ ବିଚାରାଧୀନ ରହିଛି। ୧୩ଟି ମାମଲାର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାଛଡ଼ା ଆଉ କିଛି ରିପୋର୍ଟ ଗୃହରେ ଉପସ୍ଥାପନ ଅପେକ୍ଷାରେ ରହିଛି।

କମିଶନଙ୍କ ତଦନ୍ତରେ ବିଳମ୍ବକୁ ନେଇ ସରକାରଙ୍କୁ ଦୋଷ ଦେଇଛନ୍ତି ସାମାଜିକ କର୍ମୀ ଓ ପୂର୍ବତନ ପ୍ରଶାସକ। ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି-“ଲୋକଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତ କମିଶନ ବସିଥାଏ। ବାସ୍ତବରେ ତାହା ହୁଏନି। ତଦନ୍ତ କେବଳ ନାଁରେ ଚାଲେ। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଲୋକଙ୍କୁ ଭଣ୍ଡାଯାଏ ଓ ମିଛ କୁହାଯାଏ। ଲୋକେ ନ୍ୟାୟ ପାଆନ୍ତି ନାହିଁ। ରାଜ୍ୟର ରାଜକୋଷ ଲୁଟ୍‌ହୁଏ କହିଲେ ଅତ୍ୟୁକ୍ତି ହେବନାହିଁ।”

ସେହିପରି ପୂର୍ବତନ ପ୍ରଶାସକ ସହଦେବ ସାହୁ କହିଛନ୍ତି-“ଲୋକଙ୍କ ନଜର ହଟାଇବା ପାଇଁ କମିଶନ ବସିଥାଏ। ଅଧିକାରୀମାନେ ତାକୁ ବିଳମ୍ୱ କରିଥାଆନ୍ତି କିମ୍ୱା ସରକାରଙ୍କ ଇଙ୍ଗତରେ ବିଳମ୍ୱ କରାଯାଇଥାଏ।”

୨୦୦୦ ମସିହାରେ ବାଲେଶ୍ୱର ଡ୍ରଗ୍ସ କାରବାର ମାମଲା ଓ କଟକ ଏସ୍‌ସିବିରେ ହିଂସା ମାମଲାର ରିପୋର୍ଟ ବହୁ ବର୍ଷ ତଳୁ ବିଧାନସଭାରେ ଉପସ୍ଥାପିତ ହୋଇସାରିଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାଛଡ଼ା କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ୨ଟି କମିଶନ ପାଇଁ ପ୍ରାୟ ୪ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫ ମସିହାରେ ଉଭୟ ମାମଲାର ତଦନ୍ତ ରିପୋର୍ଟ କମିଶନ ସରକାରଙ୍କୁ ଦେଇଛନ୍ତି। ହେଲେ ରାଜ୍ୟ ସରକାର ଅନୁଧ୍ୟାନ ନାଁରେ ଏହି ରିପୋର୍ଟକୁ ପ୍ରାୟ ୬ ବର୍ଷ ଧରି ମାଡ଼ି ବସିଛନ୍ତି।

ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ତଦନ୍ତ କମିଶନ କଥା କୁହନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି। ଏହାର ଜବାବ ରଖିଛନ୍ତି ବିଜେଡି।

ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି-“ଯେତେବେଳେ ବିବାଦ ମୁଣ୍ଡ ଟେକେ, ସେତେବେଳେ ସେଥିରୁ ଖସିବା ପାଇଁ ସରକାର କମିଶନ ଗଠନ କରିବାକୁ ଘୋଷଣା କରିଥାଆନ୍ତି। ସେଥିରେ କିଛି ଲୋକ ନିଯୁକ୍ତି ପାଇଥାଆନ୍ତି। ଏଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଲୋକଙ୍କୁ ନ୍ୟାୟ ମିଳେନି। ଲୋକଙ୍କ ମାଇଣ୍ଡ ଡାଇଭର୍ଟ କରିବା ପାଇଁ ଏପରି କରାଯାଇଥାଏ।”

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି-“ଲୋକ ଦେଖାଣିଆ ଭାବେ ତଦନ୍ତ କମିଶନ ବସାଯାଇଥାଏ। ସେଥିରୁ କିଛି ଫଳ ମିଳେ ନାହିଁ। ଆଉ ସରକାର ଖସି ଯାଆନ୍ତି।”

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି-“ବିଭିନ୍ନ ସମୟରେ ବିଭିନ୍ନ କମିଶନ ବସିଛି। ଆଉ କମିଶନ ରିପୋର୍ଟ ମଧ୍ୟ ଦେଇଛନ୍ତି। ବିରୋଧୀଙ୍କର କିଛି କଥା ନାହିଁ। ତେଣୁ ସେମାନେ କହୁଛନ୍ତି।”

 

ରାଜ୍ୟ ଖଟିଖିଆ ଓ ଗରିବଙ୍କ କୋଟି କୋଟି ଟଙ୍କା ଖାଇଗଲେ ଚିଟ୍‌ଫଣ୍ଡ ସଂସ୍ଥା। ସେମାନଙ୍କୁ ନ୍ୟାୟ ଦେବା ପାଇଁ ଗଠନ ହୋଇଥିଲା ତଦନ୍ତ କମିଶନ। ଏହି ମାମଲାରେ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ଏସବୁ ଏବେ ସରକାରଙ୍କ ପାଖରେ ବିଚାରାଧୀନ ରହିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମିଶନ ଚୂଡ଼ାନ୍ତ ରିପୋର୍ଟ ଦେଇନଥିବା ବେଳେ ସରକାର କମିଶନଙ୍କ କାର୍ଯ୍ୟକାଳ ନ ବଢ଼ାଇବାରୁ ପ୍ରାୟ ବର୍ଷେ ହେଲା ବନ୍ଦ ପଡ଼ିଛି ଅଫିସ। ଚିଟ୍‌ଫଣ୍ଡ କମିଶନ ବାବଦରେ ୨୦୨୦ ଜାନୁଆରୀ ସୁଦ୍ଧା ୬ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।