ବିଦେଶରେ ଚାକିରି ଲୋଭ ଦେଖାଉଥିବା ଦୁଇ ଠକ ଗିରଫ

ରାଉରକେଲା: ବିଦେଶରେ ଚାକିରି ଲୋଭ ଦେଖାଇ ଆଶାୟୀଙ୍କୁ ଠକେଇ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଛତିଶଗଡ଼ ଭିଲାଇର ମଙ୍ଗେସ ବୈଦ୍ୟ ସାହୁ ଏବଂ ତାଙ୍କ ସୁରକ୍ଷା ଅଧିକାରୀ କୁହାଯାଉଥିବା ବିକ୍ରମ ସିଂ। ପୋଲିସ ଉଭୟଙ୍କଠାରୁ ଗୋଟିଏ ନାଲିବତୀ ଥିବା ଟାଟା ସଫାରୀ ଗାଡି ମଧ୍ୟ ଜବତ କରିଛି। ଏମାନେ ନିଜକୁ ମେମ୍ବର ଅଫ ସେଣ୍ଟ୍ରାଲ ମିନିଷ୍ଟ୍ରିର ସଦସ୍ୟ ବୋଲି କହି ରାଉରକେଲାରେ ମିଲିଓନେର ଆସୋସିଏଟସ ନାମକ ଏକ ସଂସ୍ଥା ଖୋଲି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ବିକାଶ ଷଡଙ୍ଗୀ ନାମକ ଜଣେ ଯୁବକଙ୍କୁ ଏ ଦୁଇଜଣ ଆକ୍ରମଣ କରିବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଘଟଣାର ଖୋଳତାଡ଼ କରିବା ସହ ଉଦିତନଗର ଥାନା ଅଂଚଳର ଲକ୍ଷୀ କମ୍ପ୍ଲେକ୍ସରେ ଥିବା ମଙ୍ଗେସର ଅଫିସକୁ ସିଲ୍ କରିଛି।