ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା କୋର୍ଟ ନିକଟରେ ଦୁଇ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରଂଜନ ପଟେଲ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ଉଭୟେ ସୋହେଲା କୋର୍ଟ ସମ୍ମୁଖରେ ନିଜ ଗାଡ଼ି ରଖି ଚା’ ପିଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଠେଙ୍ଗା ଓ ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ରଂଜନ ଓ ଇରାଶିଷ ଆହତ ହୋଇଥିଲେ। ତେବେ ଇରାଶିଷଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ୧୦ଟି ଷ୍ଟିଚ୍ ପଡ଼ିଛି। ଉଭୟଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ ବନାବିରା ଆକ୍ରମଣ ଘଟଣାରେ ସୋହେଲା ଜେଲ୍ରେ ଥିବା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟି ଫେରୁଥିବା ବେଳେ ରଂଜନ ଓ ଇରାଶିଷଙ୍କ ଉପରେ ଏହି ଆକ୍ରମଣ ହୋଇଛି।
ସୋହେଲାରେ ବିଜେପି ନେତାଙ୍କୁ ଆକ୍ରମଣର ପ୍ରତିବାଦ ବିଧାନସଭାରେ ଦେଖିବାକୁ ମିଳିଛି। ବିଜେପି ବିଧାୟକ ରବି ନାଏକ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।