ଦୁଇଟି ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସମ୍ମୁଖରେ ଦୁଇଟି ବାଇକ୍‌ ଉପରେ ଟ୍ରକ୍‌ ମାଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ  ପିଣ୍ଟୁ ଶାହା ଓ  କରୁଣା ମାଝୀ। ପିଣ୍ଟୁଙ୍କ ଘର କେସିଙ୍ଗା ସହରରେ ହୋଇଥିବା ବେଳେ କରୁଣାଙ୍କ ଘର ବୋରିଙ୍ଗପଦରରେ ବୋଲି ଜଣାଯାଇଛି। ଆହତ ସମୀର ରଣାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ୪ ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ତହଂଶିର ଗାଁରୁ ବୋରିଙ୍ଗ ପଦରକୁ ଫେରୁଥିଲେ। ଏହି ସମୟରେ କେସିଙ୍ଗା ଆଡୁ ଆସୁଥିବା ଏକ ଟ୍ରକ୍‌  ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକ୍‌ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ପିଣ୍ଟୁଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାକୁ ନେବା ବେଳେ କରୁଣାଙ୍କର ମୃତ୍ୟୁ ଘଟିଥିଲା। ସମୀରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କର କିଛି ହୋଇନାହିଁ।

ଦୁର୍ଘଟଣାପରେ ପୁଲିସ ଟ୍ରକ୍‌କୁ ଜବତ କରିବା ସହ଼ ଗାଡ଼ି ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।